ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ ହୋଇଗଲା ୫୭ କୋଟି ଟଙ୍କା: ଏବେ ସୁଧ ସହ ଶୁଝିବେ

ମେଲବୋର୍ଣ୍ଣ: ସାଧାରଣତଃ ଅନେକ ଥର ଭୁଲରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଅର୍ଥ ଟ୍ରାନ୍ସଫର୍‌ ହୋଇଯାଏ। ଏଭଳି ପରିସ୍ଥିତିରେ ଟଙ୍କା ପାଇଥିବା ଲୋକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରିବାକୁ ପଡେ। ଭାରତରେ ଏଭଳି ଅନେକ ଘଟଣା ଘଟିଛି। ଏବେ ଏଭଳି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି। କିନ୍ତୁ ଏଠାରେ ସମଗ୍ର ବିଷୟ ଟିକିଏ ଜଟିଳ। ଭୁଲ୍‌ରେ ଟଙ୍କା ପାଇଥିବା ବ୍ୟକ୍ତି ତୁରନ୍ତ ଏହାକୁ ଖର୍ଚ୍ଚ କରିଦେଇଥିଲେ। ମାମଲା ଏବେ କୋର୍ଟରେ ପହଞ୍ଚିଛି। ତେଣୁ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ପଡିବ।
ଗତ ବର୍ଷ ମେ ମାସରେ ମେଲବର୍ଣ୍ଣ ବାସିନ୍ଦା ଥିୱାମନୋଗ୍ରି ମନିଭେଲଙ୍କୁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କ୍ରିପ୍ଟୋ ଡଟ କମରୁ ୧୦୦ ଡଲାର ଫେରସ୍ତ ମିଳିବାର ଥିଲା। ହେଲେ ସିଙ୍ଗାପୁର ସ୍ଥିତ ବାଣିଜ୍ୟ ପ୍ଲାଟଫର୍ମ ଦ୍ୱାରା ଏକ ବଡ ଭୁଲ ହୋଇଯାଇଥିଲା । ସେମାନେ ଭୁଲରେ ଅନ୍ୟ ଜଣେ ଗ୍ରାହକଙ୍କ ଟଙ୍କା ମନିଭେଲଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ।
ମନିଭେଲ ଆକାଉଣ୍ଟକୁ ହଠାତ୍‌ ୧୦.୪ ନିୟୁତ ଅଷ୍ଟ୍ରେଲୀୟ ଡଲାର ଆସିଥିଲା। ଯଦି ହିସାବ ଭାରତୀୟ ଟଙ୍କାରେ କରାଯାଏ, ତେବେ ଏହା ପ୍ରାୟ ୫୭ କୋଟି ଟଙ୍କା ହେବ। ଟଙ୍କା ପାଇବା ପରେ ମନିଭେଲ୍‌ ଝିଅ ଏବଂ ଭଉଣୀ ସହ ପରିବାର ସଦସ୍ୟଙ୍କୁ ଉପହାର ଦେଇଥିଲେ। ବର୍ତ୍ତମାନ ଏହି ସବୁ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ସେମାନଙ୍କୁ ଆଇନଗତ ଖର୍ଚ୍ଚ ସହିତ ୧୦ ପ୍ରତିଶତ ସୁଧ ଦେବାକୁ ପଡିବ।
ଅଡିଟ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜଣାପଡିବା ପରେ କ୍ରିପ୍ଟୋ ଡଟ କମ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା। ଗତ ଶୁକ୍ରବାର ଦିନ କୋର୍ଟ କ୍ରିପ୍ଟୋ ଡଟ କମ ସପକ୍ଷରେ ରାୟ ଦେଇଛନ୍ତି କୋର୍ଟ ଏବଂ ସମସ୍ତ ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ ଦେବାକୁ ମନିଭେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button