ବ୍ରାଜିଲର ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ବ୍ରାଜିଲର ସେନାମୁଖ୍ୟ ହେଲେ ବହିଷ୍କାର। ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲଭା । ଦୁଇ ସପ୍ତାହ ତଳେ ବ୍ରାଜିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ରାଷ୍ଟ୍ରପତି। ଆର୍ଜେଣ୍ଟିନା ଗସ୍ତ ପୂର୍ବରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଗତ ଡିସେମ୍ବର ୩୦ରେ ଦାୟିତ୍ବ ନେଇଥିଲେ ଆରୁଦ୍ଦା ।

ହେଲେ ଜାନୁଆରୀ ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ୩ ହଜାରରୁ ଅଧିକ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ସେଥିରେ  କେତେକ ନିରାପତ୍ତା ଯବାନ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତକାଲି ରାଷ୍ଟ୍ରପତି ଲୁଲାଙ୍କ ସହ ଆଲୋଚନା ପରେ ଏନେଇ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ ।

ଅକ୍ଟୋବର ନିର୍ବାଚନରେ ବୋଲସୋନାରୋଙ୍କୁ ପରାସ୍ତ କରି ଲୁଲା ବିଜୟୀ ହେବା ପରଠାରୁ ଦେଶରେ ବିକ୍ଷୋଭ ଆନ୍ଦୋଳନ ଜାରି ରହିଥିଲା । ତେବେ ଜାନୁଆରୀ ୧ ତାରିଖରେ ଦେଶର ୩୯ ତମ ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ଦାୟିତ୍ବ ନେଇଥିଲେ ଲୁଲା ।

Related Articles

Back to top button