ଇରାକରେ ରାଷ୍ଟ୍ରପତି ଭବନ କବଜା କଲେ ବିକ୍ଷୋଭକାରୀ

ବାଗଦାଦ: ଇରାକର ରାଜନୀତି ସଂପ୍ରତି ସମଗ୍ର ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସେଠାକାର ପ୍ରଭାବଶାଳୀ ଶିଆ ଧର୍ମଗୁରୁ ମୁକ୍ତଦା ଅଲ ସଦ୍ର ସୋମବାର ରାଜନୀତି ଛାଡିବାକୁ ଘୋଷଣା କରିଥିଲେ। ଏହା ପରଠୁ ଅଲ ସଦ୍ରଙ୍କ ସମର୍ଥକ ସଡକକୁ ଓହ୍ଲାଇ ଆସି ଉଗ୍ର ପ୍ରଦର୍ଶନ କରୁଛନ୍ତି। ଫଳରେ ସେନା କର୍ଫ୍ୟୁ ଲଗାଇବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି। ଅନ୍ୟପଟେ ହିଂସା ଏବଂ ଶସ୍ତ୍ରର ବ୍ୟବହାର ବନ୍ଦ ନହେବା ଯାଏଁ ଆମରଣ ଅନଶନ ଆରମ୍ଭ କରିଛନ୍ତି ମୁକ୍ତତା ଅଲ ସଦ୍ର।

ମୁକ୍ତଦାଙ୍କ ଅଚାନକ ରାଜନୀତିରୁ ସନ୍ନ୍ୟାସ ଘୋଷଣା ପରଠୁ ଇରାକରେ ଖୁବ୍ ହିଂସା ଏବଂ ଅରାଜକତା ଦେଖିବାକୁ ମିଳିଛି। ଏପରିକି ରାଷ୍ଟ୍ରପତି ଭବନକୁ କବଜା କରିଛନ୍ତି ଉଗ୍ର ଭିଡ। ଏଠାରେ ପ୍ରଦର୍ଶନକାରୀ ଏବଂ ପୋଲିସ୍ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ବିକ୍ଷୋଭକାରୀ ବାଗଦାଦ ସଂସଦରେ ଖୁବ୍ ଭଙ୍ଗାରୁଜା କରିବା ସହ ନାରାବାଜି ଲଗାଇଛନ୍ତି। ଏହି ମାମଲାରେ ଇରାକ ସେନା ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦୀ ବାଗଦାଦର ଗ୍ରୀନ ଜୋନ ଉପରେ ରକେଟ୍ ମାଡ କରିଛନ୍ତି। ଫଳରେ ବର୍ଡରକୁ ସିଲ୍ କରି ଦିଆଯାଇଛି।

ଇରାକର ପ୍ରଭାବଶାଳୀ ଶିଆ ଧର୍ମଗୁରୁ

ମୁକ୍ତଦା ଅଲ ସଦ୍ର ସୋମବାର ଏକ ଟୁଇଟ୍ କରି ରାଜନୀତିରୁ ସନ୍ନ୍ୟାସ ନେବା ଏବଂ ନିଜର କାର୍ଯ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଥିଲେ। ଶିଆ ଧର୍ମ ଗୁରୁ ମୁକ୍ତଦାଙ୍କ ସମର୍ଥନରେ ଜାରି ବିରୋଧ ପ୍ରଦର୍ଶନ ମଧ୍ୟରେ ଇରାକ ସେନା ସୋମବାର  ଅପରାହ୍ନ ୪ଟାରୁ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି। ମୁକ୍ତଦା ଅଲ ସଦ୍ର ଇରାକର ଜଣେ ପ୍ରଭାବଶାଳୀ ଧର୍ମଗୁରୁ ଏବଂ  ରାଜନୈତିକ ଭାବେ ବହୁତ ସକ୍ରିୟ।

ସଦ୍ଦାମ ହୁସେନଙ୍କ ପତନ ପରେ ଆସିଲେ ଚର୍ଚ୍ଚାକୁ

ପ୍ରକୃତରେ ସଦ୍ଦାମ ହୁସେନଙ୍କ ପତନ ପରେ ଅଲ ସଦ୍ର ୨୦୦୩ ବେଳକୁ ଚର୍ଚ୍ଚାକୁ ଆସି ସାରିଥିଲେ। ସେ ଗ୍ରାଣ୍ଡ ଆୟାତୁଲ୍ଲା ସୈୟଦ ମୋହମ୍ମଦ ସାଦିକ ଅଲ ସଦ୍ରଙ୍କ ପୁଅ। ଯାହାଙ୍କୁ ୧୯୯୯ରେ ସଦ୍ଦାମ ହୁସେନ ହତ୍ୟା କରିଥିଲେ। ଶିଆ ସମର୍ଥନ ସହିତ ମୁକ୍ତତା ଅଲ ସଦ୍ର ଧିରେ ଧିରେ ଇରାକର ଚର୍ଚ୍ଚିତ ଚେହେରା ପାଲଟିଥିଲେ। ଏହା ପରେ ଅଲ ସଦ୍ର ଇରାକକୁ ଦଶନ୍ଧିର ସଂଘର୍ଷ ଏବଂ କଟକଣାରୁ ମୁକୁଳାଇବା, ବଡ ଧରଣର ଭ୍ରଷ୍ଟାଚାରରୁ ରକ୍ଷା କରିବା ପାଇଁ ନିଜ ସମର୍ଥକଙ୍କ ସହିତ ଆନ୍ଦୋଳନ କରିଥିଲେ।

ଗତ ନିର୍ବାଚନରେ ବହୁମତ ହାସଲ କରି ପାରିନଥିଲେ

କେବଳ ଏତିକି ନୁହେଁ ଅଲ ସଦର ଆମେରିକା ଏବଂ ଇରାନର ପ୍ରଭାବକୁ ବିରୋଧ କରି ଦେଶରେ ବ୍ୟାପକ ସମର୍ଥନ ହାସଲ କରିଥିଲେ। ଅଲ ସଦ୍ରଙ୍କ ନିକଟତର କହିଛନ୍ତି, ସେ ଜଲଦି ଅସନ୍ତୁଷ୍ଟ ହୋଇ ଯାଆନ୍ତି ଏବଂ ତରବରିଆ ଭାବେ ନିର୍ଣ୍ଣୟ ନେଇ ଥାଆନ୍ତି। ଅଲ ସଦ୍ର ନିଜ ବାପା ଏବଂ ଶଶ୍ଵରଙ୍କ ବିଚାର ପ୍ରତି ବହୁତ ପ୍ରଭାବିତ ଥିଲେ। ଗତ ବର୍ଷ ଅକ୍ଟୋବରର ଆୟୋଜିତ ନିର୍ବାଚନରେ ଅଲ ସଦ୍ରଙ୍କ ପାର୍ଟିକୁ ସବୁଠୁ ଅଧିକ ସିଟ୍ ମିଳିଥିଲା। ମାତ୍ର ସେ ବହୁମତ ହାସଲ କରି ପାରିନଥିଲେ। ଏହା ପରେ ଅଲ ସଦ୍ରଙ୍କ ରାଜନୈତିକ ଗତିରୋଧ ବଢିବାରେ ଲାଗିଥିଲା।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ସଂଖ୍ୟାବଳ ଯୋଗାଡ ନ କରି ପାରିବା କାରଣରୁ ମୁକ୍ତଦା ଅଲ ସଦ୍ର ସରକାର ଗଠନ କରିବା ଆଲୋଚନାରୁ ନିଜକୁ ଦୂରେଇ ନେଇଥିଲେ। ଇରାକରେ ଗତ ୧୦ ମାସରେ ନା କୌଣସି ସ୍ଥାୟୀ ପ୍ରଧାନମନ୍ତ୍ରୀ ଅଛନ୍ତି ନା କୌଣସି ମନ୍ତ୍ରିମଣ୍ଡଳ ରହିଛି ଏବଂ ନା କୌଣସି ସରକାର ଚାଲିଛି। ଏବେ ନୂତନ ସରକାର ଗଠନ ନେଇ ପୁଣି ଥରେ ଗୋଟିଏ ମାସ ହେବ ଗତିରୋଧ ଜାରି ରହିଛି। ଅଲ ସଦ୍ର ଏବେ ଶୀଘ୍ର ନିର୍ବାଚନ କରାଇବା ଏବଂ ସଂସଦ ଭଙ୍ଗ କରିବାକୁ ଦାବି କରିଥିଲେ।

Related Articles

Back to top button