ପାକିସ୍ତାନରେ ଏବେ ବୁଲେଟ୍ ପ୍ରୁଫ କାରରେ ଯାତାୟତ କରିବେ ଚୀନ ନାଗରିକ
ନୂଆଦିଲ୍ଲୀ: ନିକଟରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଚୀନ ନାଗରିକ। ଚୀନ-ପାକିସ୍ତାନ ଆର୍ଥିକ କରିଡର(ସିପିଇସି) ପ୍ରକଳ୍ପ ଉପରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା। ଏହା ମଧ୍ୟରେ ପାକିସ୍ତାନ ଏବଂ ଚୀନ ଶ୍ରମିକ-କର୍ମଚାରୀଙ୍କ ପାଇଁ ବୁଲେଟ୍ ପ୍ରୁଫ ବାହାନ ବ୍ୟବହାର ନେଇ ସହମତି ପ୍ରକାଶ ପାଇଛି। ସିପିଇସିର ୧୧ତମ ଯୁଗ୍ମ ସହଯୋଗ ସମିତି(ଜେସିସି)ର ଡ୍ରାଫ୍ଟ ମିନିଟ୍ରେ ସ୍ଥିର ହୋଇଛି ଯେ, ପ୍ରକଳ୍ପରେ କାମ କରୁଥିବ ସମସ୍ତ ଚୀନ ନାଗରିକଙ୍କ ଯାତାୟତ ସମୟରେ ବୁଲେଟ୍ ବ୍ରୁଫ ଗାଡିର ବ୍ୟବହାର କରାଯିବ।
ଉଲ୍ଲେଖନିୟ, ଚଳିତ ସପ୍ତାହର ଆରମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଦୁଇ ଦିନିଆ ବେଜିଂ ଗସ୍ତ କରିଥିଲେ। ଏହି ସମୟରେ ସେ ଜେସିସି ମିନିଟ୍ସ ଉପରେ ଦସ୍ତଖତ କରିନଥିଲେ। ଯୋଜନା ମନ୍ତ୍ରୀ ଇକବାଲ ବୈଠକ ପରେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଛୋଟ ଥିବାରୁ କିଛି ପ୍ରସ୍ତାବ ଉପରେ ଦସ୍ତଖତ ହୋଇ ପାରିନାହିଁ।
ମନ୍ତ୍ରୀ କହିଛନ୍ତି, ୨୪ ଘଣ୍ଟାର ଅବଧିରେ ପାଖାପାଖି ୧୭ ବୈଠକ ଅନୁଷ୍ଠିତ ହୋଇଛି। ଚୀନ ନାଗରିକଙ୍କ ସଂପର୍କିତ ଅପରାଧର ତଦନ୍ତରେ ଅଗ୍ରଗତି ପାଇଁ ନିର୍ଣ୍ଣୟ ନିଆଯାଇଛି ଯେ, ଫରେନ୍ସିକ ବିଜ୍ଞାନ ଏଜେନ୍ସିକୁ ଅତ୍ୟାଧୁନିକ ଢାଞ୍ଚାରେ ଗଠନ କରାଯିବ। ଏହି ସମୟରେ ସିପିଇସି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀ ଯାତ୍ରାୟତ ସମୟରେ ବୁଲେଟ୍ ପ୍ରୁଫ ଗାଡି ବ୍ୟବହାର କରି ପାରିବେ ବୋଲି ନିଷ୍ପତ୍ତି ହୋଇଛି।