ବୁଧବାର ସକାଳେ ଭିଏତନାମରେ ସ୍ଥଳଭାଗ ଛୁଇଁବ ବାତ୍ୟା ନୋରୁ: ୧୮୦ କିମି ବେଗରେ ବହିବ ପବନ

ହନୋଇ: ଭୟଙ୍କର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ନୋରୁ। ସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଏତନାମ ସରକାର ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛନ୍ତି। ବୁଧବାର ସକାଳେ ବାତ୍ୟା ନୋରୁ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିମି ବେଗରେ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଏହା ପୂର୍ବରୁ ଫିଲିପାଇନ୍ସରେ ତାଣ୍ଡବ ରଚାଇଥିବା ନୋରୁ ପ୍ରଭାବରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଘୁର୍ଣ୍ଣିଝଡ ଛୁଇଁବାକୁ ଥିବା ସମ୍ଭାବ୍ୟ ସମୁଦ୍ର ତଟରୁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମଙ୍ଗଳବାର ସୂଚନା ଦେଇଛି ନ୍ୟାସନାଲ ଟେଲିଭିଜନ VTV। ସ୍କୁଲ ବନ୍ଦ ରଖାଯିବା ସହ ସାର୍ବଜନୀନ କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। ଆମ ନିକଟରେ ଆଉ ବେଶି ସମୟ ନାହିଁ। ଘୁର୍ଣ୍ଣିଝଡ ଦ୍ରୁତ ବେଗରେ ସ୍ଥଳଭାଗକୁ ମାଡି ଆସୁଛି। ଏଥିପାଇଁ ଆମର ଉଦ୍ଧାର ଏବଂ ରିଲିଫ୍ କାମ ତ୍ଵରାନ୍ଵିତ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଫାମ ମିନ ଚୀନ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ବୈଠକରେ କହିଛନ୍ତି।

ଯଥା ସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ବାତ୍ୟାର ମୁକାବିଲା ପାଇଁ ୨ ଲକ୍ଷ ୭୦ ହଜାର ସୈନିକଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭିଏତନାମର ଦାନଙ୍ଗ ଏବଂ କ୍ଵାଙ୍ଗ ନାମ ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ କର୍ଫ୍ୟୁ ଲଗା ଯାଇଛି। ଘୁର୍ଣ୍ଣିଝଡ ଅତିକ୍ରମ ନକରିବା ପର୍ଯ୍ୟନ୍ତ ବିମାନ ସେବା ଏବଂ ଟ୍ରେନ ଚଳାଚଳ ବାତିଲ୍ କରାଯାଇଛି।

ଘୁର୍ଣ୍ଣିଝଡ ନୋରୁ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି।  ସ୍ଥାନୀୟ ପ୍ରଶାସନ ଅନୁଯାୟୀ ୪ ଲକ୍ଷ ଲୋକେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ଏଥିରେ ବିଦେଶୀ ପର୍ଯ୍ୟଟକ ସାମିଲ୍ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଭିଏତନାମର ତୃତୀୟ ସବୁଠୁ ବଡ ସହର ହେଉଛି ଦାନଙ୍ଗ। ବାତ୍ୟା ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମଙ୍ଗଳବାର ସନ୍ଧ୍ୟାରୁ ଲୋକଙ୍କୁ ବାହାରକୁ ବାହାରିବାରେ ବାରଣ କରାଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଭିଏତନାମର ସହାୟତା ପାଇଁ ଆଗେଇ ଆସିଛି। ଆର୍ଥିକ ସହ ଅନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି।

ହାଓ୍ଵାଇ ସ୍ଥିତ ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟର ଅନୁଯାୟୀ,  ୧୯୪୫ ପରଠୁ ଏହା ଷଷ୍ଠ ସବୁଠୁ ବଡ ଘୁର୍ଣ୍ଣିଝଡ। ଏହା ପୂର୍ବରୁ ବାତ୍ୟା ନୋରୁ ରବିବାର ଏବଂ ସୋମବାର ଫିଲିପାଇନ୍ସରେ ତାଣ୍ଡବଲୀଳା ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୮ ରହିଛି।

Related Articles

Back to top button