ପାକିସ୍ତାନ ବନ୍ୟାରେ ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ସହାୟତାର ହାତ ବଢାଇଲେ ଅନ୍ତର୍ଜାତୀୟ ସମୁଦାୟ

ସିନ୍ଧ: ଭୀଷଣ ବନ୍ୟା କାରଣରୁ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଵାତ ଏବଂ ସିନ୍ଧୁ ନଦୀରେ ଆସିଥିବା ଭୟଙ୍କର ବନ୍ୟା କାରଣରୁ ପ୍ରାୟ ଅଧା ଦେଶ ବୁଡି ଯାଇଛି। ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟାଜନିତ ମୃତକଙ୍କ ସଂଖ୍ୟା ୧୦୦୦ ଟପିଛି।  ସରକାର ବନ୍ୟାର ବିଭୀଷିକା ଦେଖି ଗତ ଗୁରୁବାର ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରି ସାରିଛନ୍ତି। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନକୁ ସହାୟତା କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଆଗେଇ ଆସିଛନ୍ତି।  କାର୍ଗୋ ବିମାନ ଜରିଆରେ ତୁର୍କୀ ଏବଂ ୟୁଏଇ ପାକିସ୍ତାନକୁ ଟେଣ୍ଟ, ଖାଦ୍ୟ ଏବଂ ଅନ୍ୟାନ୍ୟ ଦୈନନ୍ଦୀନ ଜରୁରୀ ସାମଗ୍ରୀ ପଠାଉଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣ ବହୁତ ସଂଖ୍ୟାରେ ଟ୍ରକ ଜରିଆରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଖାଦ୍ୟ, ଟେଣ୍ଟ ଏବଂ ପାନୀୟ ଜଳ ପଠାଇଛି।

ସୂଚନା ଅନୁଯାୟୀ ବଲୁଚିସ୍ତାନ ଏବଂ ସିନ୍ଧ ପ୍ରାନ୍ତରେ ସ୍ଥିତି ଅଧିକ ଖରାପ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମୁତାବକ ପାକିସ୍ତାନରେ ଜୁନ ୧୪ ପରଠୁ ସିନ୍ଧ ପ୍ରାନ୍ତରେ ବନ୍ୟାଜନିତ ଅଧିକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଦେଶର ପ୍ରାୟ ୭୦ ପ୍ରତିଶତ ଅଂଶ ବନ୍ୟାରେ ପ୍ରଭାବିତ ହୋଇଛି। କରାଚିଠୁ ନେଇ ପଞ୍ଜାବ,  ବଲୁଚିସ୍ତାନରେ ସ୍ଥିତି ଚିନ୍ତାଜନକ ରହିଛି। ପାକିସ୍ତାନରେ ସାଧାରଣତଃ ପ୍ରତି ବର୍ଷ ହାରାହାରି ତିନି ଥର ମୌସୁମୀ ବର୍ଷା ହୋଇଥାଏ। ହେଲେ ଚଳିତ ବର୍ଷ ଆଠ ଥର ମୌସୁମୀ ବର୍ଷା ହୋଇଛି। ଦେଶର ଅନେକ ଅଞ୍ଚଳରେ ବସ୍ ଏବଂ ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନରେ ସେନାକୁ ନିୟୋଜିତ କରାଯାଇଛି। ଦେଶରେ ଜରୁରୀକାଳୀନ ଏବଂ ସୁରକ୍ଷା ବଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏକ ଦଶନ୍ଧି ପରେ ପାକିସ୍ତାନରେ ବନ୍ୟାର ଏମିତି କରାଳ ରୂପ  ଦେଖିବାକୁ ମିଳିଛି। ଦେଶରେ ୧୦ ଲକ୍ଷ ଘର ସଂପୂର୍ଣ୍ଣ ଭାବେ କିମ୍ଵା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୭୫ ଲକ୍ଷ ବାସଶୂନ୍ୟ ହୋଇ ଯାଇଥିବା ବେଳେ ୧୦୬୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ବନ୍ୟାଜଳରେ ୧୫୦ରୁ ଅଧିକ ବ୍ରିଜ୍ ଭୁଶୁଡି ପଡିଥିବା ବେଳେ ଅନେକ ରାସ୍ତା ଧୋଇ ହୋଇ ଯାଇଥିବା ପ୍ରଶାସନିକସ୍ତରରୁ ସୂଚନା ଦିଆଯାଇଛି।

ଗତ ସପ୍ତାହରେ ମିଳିତ ଜାତିସଂଘ କରାଳ ବନ୍ୟାର ମୁକାବିଲା ପାଇଁ ପାକିସ୍ତାନକୁ ୩ ମିଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି। ଏହି ଅର୍ଥକୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଵାସ୍ଥ୍ୟ, କୁପୋଷଣ, ଖାଦ୍ୟ ସୁରକ୍ଷା, ପାନୀୟ ଜଳ, ସ୍ଵଚ୍ଛତା ଏବଂ ଅନ୍ୟ ଜରୁରୀ କାର୍ଯ୍ୟରେ ଉପଯୋଗ କରାଯିବ।

Related Articles

Back to top button