ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ଭୁବନେଶ୍ୱର: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନିକାଣ୍ଡ ଓ ଅଗ୍ନି ଜନିତ ଦୁର୍ଘଟଣା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ତାଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟ ଯେପରି ତ୍ବରାନ୍ବିତ କରାହେବ ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଙ୍ଗ ଫାୟାର୍‌ ଫୋର୍ସ  (Striking Fire Force) ଗଠନ କରାଯିବ।

ଏନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ପରେ ଏନେଇ ବିସ୍ତୃତ ଆଲୋଚନା ହେବାପରେ ପ୍ରସ୍ତାବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ନିଷ୍ପତ୍ତି ଅନୁସାରେ, ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର୍‌ ଫୋର୍ସର ୩ଟି ରେଞ୍ଜ ମୁଖ୍ୟାଳୟ ରହିବ। ପ୍ରତ୍ୟେକ ମୁଖ୍ୟାଳୟ ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର  ଏବଂ ଫାୟାରମ୍ୟାନ ଇତ୍ୟାଦି ପଦବୀ ରହିବ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ବାହିନୀ ପ୍ରଥମ ଉଦ୍ଧାରକର୍ତ୍ତା ଭାବେ ତାର କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍ ସମୟରେ ସେବା ଯୋଗାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି। ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବାକୁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା।

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା (Modern Gadgets)  ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଙ୍ଗ ଫୋର୍ସ ଭାବେ ବିକଶିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ  ଭି କେ ପାଣ୍ଡିଆନ ସଞ୍ଚାଳନ କରିଥିଲେ। ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା  ଏବଂ ଅତିରିକ୍ତ ଡିଜି ସୌମ୍ୟା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Related Articles

Back to top button