ସୈନିକମାନଙ୍କୁ ଗାଜା ଷ୍ଟ୍ରିପ୍‌ରେ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମାଗତ ଭୟଙ୍କର ହେବାରେ ଲାଗିଛି।  ସେପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କୁ ଗାଜା ଷ୍ଟ୍ରିପ୍‌ରେ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଯଦିଓ ସେ ଏହା କହିନାହାନ୍ତି ଯେ ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ କେବେ ଆରମ୍ଭ ହେବ।

ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲେଟ୍‌ ଗୁରୁବାର ଗାଜା ସୀମା ନିକଟରେ ଇସ୍ରାଏଲର ପଦାତିକ ସୈନିକମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ସେନାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ଏବଂ ଆଦେଶକୁ ଅପେକ୍ଷା କରି ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଯିଏ ଗାଜାକୁ ଦୂରରୁ ଦେଖିବ, ସେ ଭିତରକୁ ଯାଇ ମଧ୍ୟ ଦେଖିବ। ଏହା ଆପଣ ସମସ୍ତଙ୍କୁ ମୋର ପ୍ରତିଜ୍ଞା।

କହି ରଖୁଛୁ, ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ସୀମାରେ ହଜାର ହଜାର ସୈନିକଙ୍କୁ ମୁତୟନ କରିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୂରିଥିବା ବେଳେ ଏହାରି ଭିତରେ ଲେବାନନରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରହିଛି।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ମୁତାବକ, ଲେବାନନ ତରଫରୁ ଇସ୍ରାଏଲ୍ ସୀମାରେ ପୁଣି ଥରେ ୯ଟି ରକେଟ୍ ମାଡ଼ କରାଯାଇଛି। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ମୋଟ ୪,୯୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଗାଜାରେ ମଧ୍ୟ ମାନବୀୟ ସଙ୍କଟ ଦେଖାଦେଇଛି। ଏଠାରେ ଲୋକମାନେ ଖାଦ୍ୟ କିମ୍ବା ବିଶୁଦ୍ଧ ଜଳ ବୁନ୍ଦେ ମଧ୍ୟ ପାଇପାରୁ ନାହାନ୍ତି।

Related Articles

Back to top button