ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ପରେ ଷ୍ଟାଡିୟମରେ ଦଳାଚକଟା, ୧୭୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଅଘଟଣ । ମ୍ୟାଚ୍‌ ହାରିଯିବାରୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦଳ ମଧ୍ୟରେ ସଂଘର୍ଷ ଯୋଗୁଁ ଅତି କମରେ ୧୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ଏହି ସଂଘର୍ଷ ପରେ ଅନୁଷ୍ଠିତ ଫୁଟବଲ ମ୍ୟାଚକୁ ଆଗାମୀ ୭ ତାରିଖ ଯାଏ ସ୍ଥଗିତ ରଖାଯାଇଛି।

ଇଣ୍ଡୋନେସିଆର ପୂର୍ବ ଜାଭାର ମାଲାଙ୍ଗ ସ୍ଥିତ କାଞ୍ଜୁରୁହାନ ଷ୍ଟାଡିୟମରେ ଗତ ଶନିବାର ରାତିରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆରେମା ଏଫସି ଏବଂ ପର୍ସେବାୟା କ୍ଲବ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିଲା । ଆରେମା ଏଫସି ନିଜ ଅଞ୍ଚଳରେ ହାରିଯିବାରୁ ତାଙ୍କ ପ୍ରତିଦ୍ବନ୍ଦୀ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଦୁଇ ଦଳ ମଧ୍ୟରେ ଭୟଙ୍କର ସଂଘର୍ଷର ରୂପ ନେଇଥିଲା । ଯେଉଁଥିରେ ୧୭୪ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ଲାଠି ଚାର୍ଜ କରିଛି । ଦଳଚକଟା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ଏହି ଭୟଙ୍କର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

ଘଟଣାସ୍ଥଳରେ ପୋଲିସ ଏବଂ ଇଣ୍ଡୋନେସିଆ ଫୁଟବଲ ଆସୋସିଏସନ ତଦନ୍ତ ଆରମ୍ଭ କରିଛି । ତେବେ ଏକ ସପ୍ତାହ ଲାଗି ଲିଗ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ସଂଘର୍ଷରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କେତେକଙ୍କ ଷ୍ଟାଡିୟମରେ ମାରମିଟ ସମୟରେ ମୃତ୍ୟୁ ହୋଇଥିବାବେଳେ ଅଧିକାଂଶଙ୍କ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Related Articles

Back to top button