ବନ୍ୟା ପରେ ପାକିସ୍ତାନ ସମୁଦ୍ର ଭଳି ଦିଶୁଛି, ଆମକୁ ଟ୍ରିଲିୟନ୍ ଟଙ୍କା ସହାୟତା ଦରକାର: ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ

କରାଚି: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା। ଉଜାଡ଼ି ଦେଇଛି ସବୁକିଛି। ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୧୩୫୦କୁ ବୃଦ୍ଧି ପାଇଛି । ପାକିସ୍ତାନର ଏଭଳି ଦୁଃସ୍ଥିତିରେ ପୁଣି ଥରେ ଭାବପ୍ରବଣ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ ମାଗି କହିଛନ୍ତି, ପାକିସ୍ତାନ ସମୁଦ୍ର ଭଳି ଦିଶୁଛି । ବନ୍ୟା ପ୍ରଭାବିତ ପାକିସ୍ତାନର ବିଭିନ୍ନ ଅଞ୍ଚଳ ପରିଦର୍ଶନ ପରେ ଏଭଳି କହିଛନ୍ତି ଶାହବାଜ ।

ପ୍ରବଳ ବର୍ଷା ପରେ ଆସିଥିବା ବନ୍ୟାରେ ପାକିସ୍ତାନର ଏକ ତୃତୀୟାଂଶ ପ୍ରଭାବିତ ହୋଇଛି । ହଜାର ହଜାର ଲୋକଙ୍କ ଘର ବନ୍ୟାରେ ଧୋଇ ଯାଇଥିବା ବେଳେ ପ୍ରାୟ ୧୦ ବିଲିୟନ ଡଲାରର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନର ପ୍ରତିଟି ଅଞ୍ଚଳ ଖାଲି ପାଣି ପାଣି ଦିଶୁଛି । ସିନ୍ଧ ପ୍ରଦେଶରେ ଜଳର ପ୍ରଳୟ ରୂପ ଦେଖିବାକୁ ମିଳିଛି।

ବନ୍ୟା ଭିତରେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଛି ଜଳବାହିତ ରୋଗ। ପ୍ରାକୃତିକ ଦୁର୍ବିପାକରୁ ମୁକୁଳିବା ଲାଗି ଟ୍ରିଲିୟନ୍ ଟଙ୍କା ଆବଶ୍ୟକ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ। ପାକିସ୍ତାନରେ ବନ୍ୟା ପରେ ଜାତିସଂଘ ୧୬୦ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି। ଅନ୍ୟ ଦେଶ ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି ।

ବନ୍ୟାରେ ପାକିସ୍ତାନର ମୋଟ ଜନସଂଖ୍ୟାର ୧୫ ପ୍ରତିଶତ ପ୍ରାୟ ୩୩ ମିଲିୟନ୍ ଲୋକ ପ୍ରଭାବିତ ହୋଇଛନ୍ତି। ସିନ୍ଧ ସହ ବାଲୋଚିସ୍ତାନର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ କୌଣସି ନଦୀରେ ଜଳସ୍ତର କମୁ ନାହିଁ । ଫଳରେ ପାକିସ୍ତାନ ବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Related Articles

Back to top button