
ପାକିସ୍ତାନରେ ବନ୍ୟା ବିତ୍ପତ୍ତି: ଭାରତରୁ ପନିପରିବା ଓ ଖାଦ୍ୟ ପଦାର୍ଥ ଆମଦାନୀ କରିପାରେ
ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ପ୍ରଥମରୁ ଖରାପ ଥିଲା, ଏଥିରେ ବନ୍ୟା ଏବେ ପରିସ୍ଥିତିକୁ ଜଟିଳ କରିଦେଇଛି। ପାକିସ୍ତାନର ଏକ ବିଶାଳ ଭୂ-ଖଣ୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଫଳରେ ବ୍ୟାପକ ଫସଲ ହାନୀ ହୋଇଥିବା ବେଳେ ଦେଶରେ ଖାଇବା ପିଇବା ଜିନିଷର ଘୋର ଅଭାବ ଦେଖା ଦେଇଛି। ଏଣୁ ଏପର୍ଯ୍ୟନ୍ତ ଭାରତରୁ ଖାଦ୍ୟ ଶସ୍ୟ ଆମଦାନୀ ଲାଗି ଆଗପଛ ହେଉଥିବା ପାକିସ୍ତାନର ଦମ୍ଭ ଭାଙ୍ଗି ଯାଇଛି। ଉପୁଜିଥିବା ପରିସ୍ଥିତିରେ ଭାରତରୁ ଖାଦ୍ୟ ଶସ୍ୟ ଆମଦାନୀ ଲାଗି ଏବେ ପାକିସ୍ତାନ ବିଚାର କରୁଥିବା ଜଣାପଡିଛି।
ଭୟଙ୍କର ବନ୍ୟା ପାକିସ୍ତାନର କୃଷି ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିଛି। ଛିଡା ହୋଇଥିବା ଫସଲ ପାଣିରେ ବୁଡି ସଢି ଯାଇଛି। ଏଣୁ ପାକିସ୍ତାନ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ଭାରତରୁ ଖାଦ୍ୟ ପଦାର୍ଥ ଓ ପନିପରିବା କିଣିବା ଲାଗି ବିଚାର କରାଯାଇ ପାରେ ବୋଲି ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ ସୋମବାର କହିଛନ୍ତି। ପାକିସ୍ତାନ ଦୀର୍ଘ ବର୍ଷରୁ ଭାରତ ସହ ସମସ୍ତ ବ୍ୟବସାୟୀକ ସମ୍ପର୍କ ଛିନ୍ନ କରିଛି। ଭାରତର ଖାଦ୍ୟ ଶସ୍ୟ ଆମଦାନୀ ପାକିସ୍ତାନ ଲାଗି ସହଜ ଓ ଶସ୍ତା ହୋଇଥିଲେ ମଧ୍ୟ ଇମ୍ରାନ ଖାନ ସରକାର ବାଣିଜ୍ୟ ବ୍ୟବସାୟ ବନ୍ଦ କରିଦେଇଥିଲେ।
ଏବେ ପାକିସ୍ତାନ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ବନ୍ୟା ଭଳି ଜାତୀୟ ବିପଦରେ ହୁଏତ ପାକିସ୍ତାନ ଭାରତର ସହଯୋଗ ଲୋଡିପାରେ। କୁହାଯାଉଛି ପୂର୍ବତନ ସୁରକ୍ଷା ପରାମର୍ଶଦାତା ଏମ.ୟୁସୁଫ ଭାରତ ସହ ବ୍ୟବସାୟ ଲାଗି କିଛି ପ୍ରସ୍ତାବରେ କାମ କରୁଥିଲେ ବୋଲି ଜଣାପଡିଛି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହୁଏତ ସରକାର ଭାରତ ସହ ପୁଣି ବାଣିଜ୍ୟିକ ସମ୍ପର୍କ ସ୍ଥାପନା କରିପାରନ୍ତି ବୋଲି ଦେସବାସୀ ଆଶା କରୁଛନ୍ତି।