
ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ୱିକ୍ରମସିଂଘେ
କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବରେ ରାନିଲ ୱିକ୍ରମସିଂଘେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଦେଶରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମଧ୍ୟ ରାଜଧାନୀ କଲମ୍ବୋରେ ପୁଣି ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ରାନିଲ ୱିକ୍ରମସିଂହଙ୍କୁ ବିରୋଧ କରୁଛନ୍ତି।
୨୨୫ ସଦସ୍ୟତା ବିଶିଷ୍ଟ ସଂସଦର ୧୩୪ ଏମ୍ପି ରାନିଲଙ୍କ ସପକ୍ଷରେ ଭୋଟ ଦେଇଥିବାବେଳେ ଶାସକ ଶ୍ରୀଲଙ୍କା ପୋଦୁଜନ ପେରାମୁନା (ଏସ୍ଏଲ୍ପିପି)ର ବିଦ୍ରୋହୀ ପ୍ରାର୍ଥୀ ଦୁଲ୍ଲାସ ଆଲାହପ୍ପେରୁମାଙ୍କୁ ୮୨ ଭୋଟ ମିଳିଥିଲା। ବାମପନ୍ଥୀ ଜନତା ବିମୁକ୍ତି ପେରାମୁନା (ଜେଭିପି) ନେତା ଅନୁରା କୁମାରା ଦିସାନାୟକେଙ୍କୁ ମାତ୍ର ୩ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ୭୩ ବର୍ଷୀୟ ରାନିଲ ଓ୍ବିକ୍ରମସିଂଘେ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିଥିବାରୁ ପାର୍ଲାମେଣ୍ଟକୁ ଧନ୍ୟବାଦ ଦେଇଥିଲେ।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ପାଇଁ ଦେଶବାସୀ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ଆନ୍ଦୋଳନ କରିବା ପରେ ସେ ସିଙ୍ଗାପୁର ପଳାୟନ କରି ସେଠାରୁ ନିଜ ଇସ୍ତଫାପତ୍ର ପଠାଇଥିଲେ। ତାଙ୍କ ଉତ୍ତରାଧିକାରୀ ଭାବେ ଓ୍ବିକ୍ରମସିଂଘେଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ। ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଦୂର ପାଇଁ ରାନିଲଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ପଡିବ।