ଡଚେସ୍‌ ଅଫ କର୍ଣ୍ଣୱାଲ କ୍ୟାମିଲା ପିନ୍ଧିବେ ଏଲିଜାବେଥ ଦ୍ୱିତୀୟଙ୍କ ପ୍ରଶିଦ୍ଧ କୋହିନୁର ଖଚିତ ମୁକୁଟ

ଲଣ୍ଡନ: ବ୍ରିଟେନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜଗାଦୀ ସମ୍ଭାଳିଥିବା ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବ୍ରିଟିଶ  ରାଜ ପରମ୍ପରା ଅନୁଯାୟୀ ମହାରାଣୀଙ୍କ ପରଲୋକ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସଙ୍କୁ ବ୍ରିଟେନର ରାଜା ଘୋଷଣା କରାଯାଇଛି। ତେବେ ମହାରାଣୀ ଏଲିଜାବେଥଙ୍କ କୋହିନୁର ଖଚିତ ରାଜମୁକୁଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଲିଜାବେଥ୍‌ଙ୍କ ପରେ କୋହିନୁର ଖଚିତ ରାଜମୁକୁଟ କାହାକୁ ମିଳିବ ତାହା ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି।

ରିପୋର୍ଟ ଅନୁସାରେ ମହାରାଣୀଙ୍କ ପରଲୋକ ପରେ ବ୍ରିଟେନର ରାଜା ହୋଇ ସାରିଥିବା କିଙ୍ଗ ଚାର୍ଲସ୍‌ ତୃତୀୟଙ୍କ ପତ୍ନୀ ଡଚେସ୍ ଅଫ କର୍ଣ୍ଣୱାଲ କ୍ୟାମିଲାଙ୍କୁ କୋହିନୁର ଖଚିତ ରାଜମୁକୁଟ ସମର୍ପି ଦିଆଯିବ। ଡଚେସ୍ ଅଫ କର୍ଣ୍ଣୱାଲ ଏବେ ଦେଶରେ କ୍ୱିନ କନସୋର୍ଟ ଭାବେ ପରିଚିତ ହେବେ। ଏଣୁ ତାଙ୍କୁ ଏଲିଜାବେଥଙ୍କ ମୁକୁଟ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ପ୍ରାରମ୍ଭରେ ରାଣୀ ଏଲିଜାବେଥ୍ କ୍ୟାମିଲାଙ୍କୁ କ୍ୱିନ କନସୋର୍ଟ ହେବେ ବୋଲି ଘୋଷଣା କରିଥିଲେ। ତେବେ ତାଙ୍କ ପାଖରେ କୌଣସି ସାମ୍ବିଧାନିକ ଶକ୍ତି ରହିବନି। ହେଲେ କିଙ୍ଗ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ ସମୟରେ କେମିଲାଙ୍କୁ କୋହିନୁର ଖଚିତ ହୀରା ମୁକୁଟ ପିନ୍ଧି ତାଙ୍କ କଡରେ ଛିଡା ହୋଇଥିବାର ଦେଖିବାକୁ ମିଳିବ।

କୋହିନୁର ହୀରାର ଇତିହାସ

୧୦୫.୬ କ୍ୟାରେଟର କୋହିନୁର ହୀରାକୁ ବିଶ୍ୱର ସବୁଠୁ ବଡ଼ ହୀରା ମନେକରାଯାଏ। କୁହାଯାଏ ଏହି ହୀରା ଚତୁର୍ଦ୍ଦଶ ଶତାବ୍ଦୀରେ ଆନ୍ଧ୍ରପ୍ରଦେଶର ଖଣିରୁ ମିଳିଥିଲା। ତେବେ ପଞ୍ଜାବକୁ  ବ୍ରିଟିଶ ଅକ୍ତିଆର କରିବାପରେ ୧୮୪୯ ମସିହାରେ ହୀରାକୁ ତତ୍କାଳୀନ ମହାରାଣୀ ଭିକ୍ଟୋରିଆଙ୍କୁ ସମର୍ପି ଦିଆଯାଇଥିଲା। ଯାହାକୁ ପରେ ବ୍ରିଟିଶ ରାଜମୁକୁଟରେ ସ୍ଥାନୀତ କରିଦିଆଯାଇଛି। ତେବେ ଭାରତ ସମେତ ୪ଟି ଦେଶ ଏହି ହୀରା ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି।

Related Articles

Back to top button