ଗୁଇନ୍ଦା ଜାହାଜ ନ ପଠାଇବାକୁ ଶ୍ରୀଲଙ୍କାର ନିବେଦନ ପରେ ଚିନ୍ତାରେ ଚୀନ
ଗୁପ୍ତଚର ଜାହାଜ ନ ପଠାଇବା ପାଇଁ ଚୀନକୁ ଶ୍ରୀଲଙ୍କାର ନିବେଦନ ପରେ ଚୀନର ଯୋଜନା ପଣ୍ଡ ହୋଇଛି । ଭାରତ ପକ୍ଷରୁ ଚୀନର ଏହି ଜାହାଜକୁ ନେଇ ଆପତ୍ତି ଉଠାଯାଇଥିଲା । ଏହାପରେ ଶ୍ରୀଲଙ୍କା ଉପରେ ଚାପ ପଡିଥିଲା। ସୂଚନା ଅନୁସାରେ ଶ୍ରୀଲଙ୍କା ଚିଠି ଲେଖି ଚୀନକୁ ନିଜ ଯୋଜନା କାର୍ଯ୍ୟକାରୀ ନକରିବାକୁ ଅପିଲ କରିଥିଲା । ଏହାପରେ କୋଲମ୍ୱୋରେ ଚୀନ ଦୂତାବାସ ବରିଷ୍ଠ ଅଧିକାରୀଙ୍କ ସହ ତତ୍କାଳ ବୈଠକ ପାଇଁ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନର ଗୁଇନ୍ଦା ଜାହାଜର ବିପଦକୁ ନେଇ ଭାରତ ଆପତ୍ତି ଉଠାଇ ଶ୍ରୀଲଙ୍କା ଉପରେ ଚାପ ପକାଇଥିଲା । ଚୀନର ଏହି ଗୁପ୍ତଚର ଜାହାଜ ହମବନଟୋଟା ବନ୍ଦରରେ ଅଗଷ୍ଟ ୧୧ରେ ପହଞ୍ଚିବାର ଯୋଜନା ଥିଲା।
ଏହି ଜାହାଜ ଅଗଷ୍ଟ ୧୧ରେ ଶ୍ରୀଲଙ୍ଗାର ହମବନଟୋଟା ବନ୍ଦରରେ ପହଞ୍ଚିଥାନ୍ତା । ସେଠାରେ ୬ ଦିନ ରହିବା ପରେ ଏହି ଗୁଇନ୍ଦା ଜାହାଜ ଶ୍ରୀଲଙ୍କାରୁ ଅଜଣା ସ୍ଥାନକୁ ଯାତ୍ରା କରିବ ବୋଲି ଖବର ଥିଲା ।
ୟୁଆନ ୱାଙ୍ଗ ୫ ଚୀନର ଅତ୍ୟନ୍ତ ଶକ୍ତିଶାଳୀ ଗୁଇନ୍ଦା ଜାହାଜ । ଏହା ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ଲଞ୍ଚର ମଧ୍ୟ ସନ୍ଧାନ କରିପାରିବ । ଏହା ୟୁଆନ ୱାଙ୍ଗ ସିରିଜର ତୃତୀୟ ପିଢିର ଟ୍ରାକିଂ ଜାହାଜ । ୨୦୦୭ ସେପ୍ଟେମ୍ୱର ୨୭ରେ ଏହାକୁ ସେବାରେ ସାମିଲ କରାଯାଇଥିଲା । ଏହି ଜାହାଜରେ ଅତ୍ୟନ୍ତ ଶକ୍ତିଶାଳୀ ଆଣ୍ଟିନା ଲାଗିଛି, ଯାହା ଦୀର୍ଘ ଦୂର ଯାଏଁ ନଜର ରଖିବାରେ ଏହାକୁ ସହାୟତା କରିଥାଏ । ଆରବ ସାଗରରେ ଗୁଇନ୍ଦାଗିରି କରିବା ଭାରତ ଏବଂ ଆମେରିକାର ଚିନ୍ତା ବଢାଇପାରେ। ଭାରତ ମହାସାଗରରେ ହିଁ ଆମେରିକାର ନୌସେନା ଶିବିର ଡିୟୋଗା ଗାର୍ସିଆ ରହିଛି।