
ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଛନ୍ତି। ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ରାଜପକ୍ସେ ନିଜ ସପରିବାର ସହ ଦେଶ ଛାଡ଼ି ମାଳଦ୍ୱୀପକୁ ପଳାଇଥିବା ଜଣାପଡ଼ିଛି। ଇମିଗ୍ରେସନ ସୂଚନା ଅନୁସାରେ, ଶ୍ରୀଲଙ୍କାର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଥିବା ଆଣ୍ଟୋନୋଭ-୩୨ ସେନା ବିମାନରେ ରାଜପକ୍ସେ ମାଳଦ୍ୱୀପକୁ ପଳାଇଛନ୍ତି। ଏହି ଯାତ୍ରା ସମୟରେ ୪ଜଣ ଯାତ୍ରୀ ସାମିଲ ହୋଇଥିଲେ। ସେଥିରେ ରାଜପକ୍ସେ, ତାଙ୍କ ପତ୍ନୀ ଏବଂ ୨ଜଣ ସୁରକ୍ଷାକର୍ମୀ ଥିଲେ। ତେବେ ମାଳଦ୍ୱୀପରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସର ସୁରକ୍ଷା ଅଧୀନରେ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା ବୋଲି ମାଲେ ବିମାନବନ୍ଦର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭାବେ ରାଜପକ୍ସେ ଗିରଫଦାରୀରୁ ମୁକ୍ତ ଅଟନ୍ତି କିନ୍ତୁ ଗିରଫ ହେବାର ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଦେଶ ଛାଡି ପଳାଇଥିବା କୁହାଯାଉଛି।