ବ୍ରିଟେନରେ ମହାରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ କରିବାକୁ ଚୀନ ପ୍ରତିନିଧିଙ୍କୁ ମିଳିଲାନି ଅନୁମତି

ଚୀନକୁ ବ୍ରିଟେନରେ ବଡ ଅପଦସ୍ତ ହେବାକୁ ପଡିଛି। ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବା ପାଇଁ ସୋମବାର ଲଣ୍ଡନ ଗସ୍ତ କରିଥିବା ପ୍ରତିନିଧିମଣ୍ଡଳକୁ ସଂସଦ ଭିତରେ ସ୍ଥିତ ମହାରାଣୀଙ୍କ କଫିନ ଦେଖିବାକୁ ଅନୁମତି ଦିଆଯାଇ ନାହିଁ। ମହାରାଣୀଙ୍କ କଫିନକୁ ବ୍ରିଟିଶ ସରକାରଙ୍କ ତତ୍ତ୍ଵାବଧାନରେ ସଂସଦ ଭିତରେ ରଖାଯାଇଛି। ଏପରିକି ବ୍ରିଟେନର ଅନେକ ସାଂସଦ ଚୀନକୁ ନିମନ୍ତ୍ରଣ ଦେବା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଉଲ୍ଲେଖନୀୟ ସିନଜିୟାଙ୍ଗରେ କଥିତ ମାନବାଧିକାର ଉଲ୍ଲଂଘନର ସମାଲୋଚନା କରିଥିବା  ଅନେକ ବ୍ରିଟିଶ ସାଂସଦଙ୍କ ଉପରେ ଚୀନ କଟକଣା ଲଗାଇଛି। ଚୀନର କଡା ବିରୋଧ କରି ବର୍ତ୍ତମାନ କିଛି ସାଂସଦ ଚୀନର ପ୍ରତିନିଧିଙ୍କୁ ଆମନ୍ତ୍ରିତ କରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ବିବିସିର ରିପୋର୍ଟ ଅନୁଯାୟୀ, ଚୀନ ସରକାରଙ୍କ ପ୍ରତିନିଧିମଣ୍ଡଳକୁ ବ୍ରିଟିଶ ସରକାରଙ୍କ ନୀରିକ୍ଷଣରେ ଥିବା ମହାରାଣୀଙ୍କ କଫିନ ଦେଖିବା ଉପରେ କଟକଣା ଲାଗୁ କରାଯାଇଛି। ବ୍ରିଟେନ ସଂସଦର ନିମ୍ନସଦନ ହାଉସ ଅଫ କମନ୍ସର ବାଚସ୍ପତି  ସାର ଲିଣ୍ଡେସ ହଏଲ ଚୀନ ସରକାରଙ୍କ ଏକ ପ୍ରତିନିଧିମଣ୍ଡଳକୁ ଓ୍ଵେଷ୍ଟମିନିଷ୍ଟର ହଲ୍‌ରେ ଦିବଙ୍ଗତ ମହାରାଣୀଙ୍କ ଲାଇଙ୍ଗ୍ ଇନ ଷ୍ଟେଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଅନୁମତି ଦେଇ ନାହାନ୍ତି।

ସୋମବାର ଓ୍ଵେଷ୍ଟମିନିଷ୍ଟର ଆବେରେ ମହାରାଣୀଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ। ଉଇଗର ମୁସଲିମ ସଂଖ୍ୟାଲଘୁଙ୍କ ପ୍ରତି ଉତ୍ପୀଡନର ଅଭିଯୋଗ ଲଗାଇଥିବା ପାଞ୍ଚ ବ୍ରିଟିଶ ସାଂସଦଙ୍କ ବିରୋଧରେ ଚୀନର କଟକଣା ଲଗାଇଛି। ଏହି କାରଣରୁ ଏବେ ନିମ୍ନସଦନର ବାଚସ୍ପତି ଲିଣ୍ଡେସ ହଏଲ ଚୀନ ପ୍ରତିନିଧିମଣ୍ଡଳର ମହାରାଣୀଙ୍କ କଫିନକୁ ଦେଖିବା ଅନୁରୋଧକୁ ଅସ୍ଵୀକାର କରି ଦେଇଛନ୍ତି।

ହେଲେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ  ହେବାକୁ ଚୀନ ପ୍ରତିନିଧିମଣ୍ଡଳକୁ ଅନୁମତି ରହିଛି। ମାତ୍ର ସଂସଦ ଭିତର କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇ ନାହିଁ। ଏହି ଘଟଣାରେ ବ୍ରିଟେନ୍-ଚୀନ ସମ୍ବନ୍ଧରେ ତିକ୍ତତା ଆସିବାର ସମ୍ଭାବନା ରହିଛି।

Related Articles

Back to top button