![](https://abhigam.com/wp-content/uploads/2024/04/Screenshot_2024-04-28-20-12-19-19_680d03679600f7af0b4c700c6b270fe7.jpg)
ସମଲିଙ୍ଗୀ ସମ୍ପର୍କ ରଖିଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ
ଶନିବାର ଇରାକ ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଏକ ଆଇନ ପ୍ରଣୟନ କରିଛି । ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚିତ କରାଯାଇ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଧାର୍ମିକ ମୂଲ୍ୟବୋଧକୁ ବଜାୟ ରଖିବା ଏହି ଆଇନର ମୂଳ ଉଦ୍ଦେଶ୍ୟ । ଏହି ଆଇନକୁ ମୁଖ୍ୟତଃ ଶିଆ ମୁସଲିମ ଦଳର ସମର୍ଥନ ମିଳିଛି । ଇରାକର ସଂସଦରେ ଶିଆ ମୁସଲିମ ସର୍ବ ବୃହତ ମିଳିତ ମେଣ୍ଟ ଗଠନ କରିଛନ୍ତି । ଇରାକର ଏଲଜିବିଟି ସମ୍ପ୍ରଦାୟ ସମ୍ବନ୍ଧରେ ପାରିତ ହୋଇଥିବା ଏହି ଆଇନକୁ ମାନବାଧିକାର ଗୋଷ୍ଠୀ ଦ୍ୱାରା ଦୃଢ଼ ନିନ୍ଦା କରାଯାଇଛି ।
ଇରାକରେ ଏହି ନୂତନ ଆଇନ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୭ ବର୍ଷ ଏବଂ ଜାଣିଶୁଣି ମହିଳାଙ୍କ ପରି ଆଚରଣ କରୁଥିବା ପୁରୁଷଙ୍କୁ ଅତିକମରେ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଏହା ବ୍ୟତୀତ ସଂଶୋଧିତ ଆଇନ୍ ବ୍ୟକ୍ତିର ଇଚ୍ଛା ଏବଂ ପ୍ରବୃତ୍ତି ଆଧାରରେ ବାୟୋଲୋଜିକାଲ ଲିଙ୍ଗ ପରିବର୍ତ୍ତନକୁ ଅପରାଧ ଭାବେ ବିବେଚିତ କରାଯାଇଛି ଏବଂ ଏହାର ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଏହା ବ୍ୟତୀତ ସମଲିଙ୍ଗୀ ସମ୍ପର୍କ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ବର୍ଷ ପାଇଁ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଇରାକ ଭଳି ଏକ କନଜର୍ଭେଟିଭ ସୋସାଇଟିରେ ସମଲିଙ୍ଗୀ ସମ୍ପର୍କ ନିଷେଧ ଅଟେ । କହିରଖୁଛୁ ପୂର୍ବରୁ ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ପ୍ରସ୍ତାବିତ ହୋଇଥିଲା ଯାହାକୁ ବିରୋଧ କରାଯାଇଥିଲା । ତେବେ ଏହା ପୂର୍ବରୁ ଏମିତି କୌଣସି ନିୟମ ନଥିଲା ଯାହା ସମଲିଙ୍ଗୀ ସମ୍ପର୍କକୁ ସ୍ପଷ୍ଟ ଭାବେ ଦଣ୍ଡିତ କରାଉଥିଲା । ଗତ ବର୍ଷ ଠାରୁ ଇରାକର ପ୍ରମୁଖ ଦଳମାନେ ଏଲଜିବିଟି ଅଧିକାରକୁ ସମାଲୋଚନା କରିବାରେ ଲାଗିଛନ୍ତି, ଗତ ବର୍ଷ ଉଭୟ ଶାସକ ତଥା ବିରୋଧୀ ଶିଆ ମୁସଲିମ ଗୋଷ୍ଠୀର ପ୍ରତିବାଦରେ ଏଲଜିବିଟି ସମ୍ପ୍ରଦାୟର ଇନ୍ଦ୍ରଧନୁ ପତାକା ପୋଡି ଯାଇଥିଲା। ସୂଚନାଯୋଗ୍ୟ, ୬୦ରୁ ଅଧିକ ଦେଶରେ ସମଲିଙ୍ଗୀ ଯୌନ ଅପରାଧ ହୋଇଥିବାବେଳେ ୧୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅନୁମତି ଦିଆଯାଇଛି ।