ପାକ୍‌ ନାଗରିକ ପାଇ ପାରୁନାହାନ୍ତି ପାସପୋର୍ଟ

ପାକିସ୍ତାନରେ ସ୍ଥିତି ସୁଧୁରିବାର ନାମ ନେଉନାହିଁ। ମହଙ୍ଗା ମାଡ଼ ସହ ଜୁଝି ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ଦେଶରେ ଲାମିନେସନ୍ ପେପର ମିଳୁ ନ ଥିବାରୁ ହଜାର ହଜାର ପାକ୍‌ ନାଗରିକ ପାସପୋର୍ଟ ପାଇ ପାରୁନାହାନ୍ତି। ବିଶେଷ କରି ବିଦେଶରେ ପାଠ ପଢ଼ିବା ପାଇଁ ଆଡ୍‌ମିସନ ନେବାକୁ ଥିବା ଛାତ୍ରଛାତ୍ରୀମାନେ ଭୀଷଣ ଅସୁବିଧାରେ ପଡ଼ିଛନ୍ତି।

ଲୋକେ ଅଭିଯୋଗ କରୁଛନ୍ତି କି, ସରକାରୀ ବିଭାଗର ଅପାରଗତା ପାଇଁ ସାଧାରଣ ଲୋକେ ଅଯଥାରେ ହଇରାଣ ହେଉଛନ୍ତି। ପାସପୋର୍ଟ ଅଫିସରେ ଲୋକମାନେ ଧାଡ଼ି ଲଗାଉଛନ୍ତି। ହେଲେ ସେମାନଙ୍କୁ କୁହାଯାଉଛି, ପରବର୍ତ୍ତୀ ସପ୍ତାହରେ ମିଳିବ। କିନ୍ତୁ ଏହାରି ଭିତରେ ବେଶ୍ କିଛି ସପ୍ତାହ ଗଡ଼ି ଗଲାଣି। ପାସପୋର୍ଟ ଆଶାୟୀମାନେ ଦୌଡ଼ି ଦୌଡ଼ି ନୟାନ୍ତ। ଦିନକୁ ୩ରୁ ୪ ହଜାର ପାସପୋର୍ଟ ସ୍ଥାନରେ ମାତ୍ର ୧୨ରୁ ୧୩ଟି ପାସପୋର୍ଟ ମିଳି ପାରୁଛି। ଅତୀତରେ ମଧ୍ୟ ପାକିସ୍ତାନରେ ଏଭଳି ସମସ୍ୟା ଦେଖା ଦେଇଥିଲା।

ରିପୋର୍ଟ ମୁତାବକ, ଦେଶରେ ଲାମିନେସନ ପେପର୍‌ର ଅଭାବ କାରଣରୁ ଲୋକମାନଙ୍କର ବିମାନ ଯାତ୍ରା ଉପରେ ବ୍ରେକ୍‌ ଲଗାଇ ଦିଆଯାଇଛି। ପାକିସ୍ତାନୀ ପାସ୍‌ପୋର୍ଟରେ ବ୍ୟବହୃତ ଏହି ଲାମିନେସନ ପେପର୍‌ ଫ୍ରାନ୍ସରୁ ଆମଦାନୀ ହୋଇଥାଏ। କିନ୍ତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏହି ଆମଦାନୀକୁ ଜାରି ରଖିବା ମୁସ୍କିଲ ହୋଇପଡ଼ୁଛି। ଲାମିନେସନ ପେପର୍‌ର ଅଭାବ ହେତୁ ଲକ୍ଷାଧିକ ସଂଖ୍ୟାରେ ନୂଆ ପାସ୍‌ପୋର୍ଟ ଜାରି ହୋଇପାରୁ ନାହିଁ, ଯାହାଫଳରେ ଏଗୁଡ଼ିକ ପଡ଼ିରହିଛି।

Related Articles

Back to top button