ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ : ଦୁଇ ଘଣ୍ଟା ଧରି ଶୁଭିଲା ବିସ୍ଫୋରଣର ଶବ୍ଦ

ଉତ୍ତର ଗ୍ରୀସର କବାଲା ସହରରେ ଶନିବାର ୟୁକ୍ରେନର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ସର୍ବିୟାରୁ ଜୋର୍ଡାନ ଯାଉଥିବା ବେଳେ କ୍ରାସ୍ ହୋଇଯାଇଥିଲା । ତେବେ ଦୁର୍ଘଟଣାର ମାତ୍ରା ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକେ ଦୁଇ ଘଣ୍ଟା ଧରି ଶବ୍ଦ ଶୁଣିଥିଲେ । ସୋଭିଏତ ଦ୍ୱାରା ନିର୍ମିତ ଏହି ବିମାନର ପରିଚାଳନା ଭାର ମେରିଡିୟନ କମ୍ପାନୀ ହାତରେ ଥିଲା ।

କୁହାଯାଉଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନରେ ୮ ଜଣ କର୍ମଚାରୀଥିଲେ । ଏଥିରେ ୧୨ ଟନର ବିପଜ୍ଜନକ ସାମଗ୍ରୀ ନିଆଯାଉଥିଲା । ଯେଉଁଥିରେ ଅଧିକାଂଶ ବିସ୍ଫୋରକ ଦ୍ରବ୍ୟ ଥିଲା । ତେବେ ବିମାନରେ କଣ ପରିବହନ ହେଉଥିଲା ତାହା ଗ୍ରୀସ୍ ବିମାନବନ୍ଦର  ଅଧିକାରୀଙ୍କୁ ପୂର୍ବରୁ ସୂଚନା ଦିଆଯାଇନଥିଲା ।

ଦୁର୍ଘଟଣାଗ୍ରସ୍ତ ହେଲା ପରେ ବିମାନଟି ତଳେ ଖସି ପଡିଥିଲା । ତେବେ ବିମାନର ଭଗ୍ନାବଶେଷ ପଡିଥିବା ଆଖପାଖ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଘରୁ ନବାହାରିବା ସହ କବାଟ ଝରକା ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ଗ୍ରୀସ୍ ବେସାମରିକ ଉଡାଣ ଅଧିକାରୀଙ୍କ କହିବାନୁସାରେ, ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଥିଲା । ପାଇଲଟ୍ ଏନେଇ ଜଣାଇ ଦେଇଥିଲେ । ପାଇଲଟଙ୍କୁ କବାଲା ବିମାବନ୍ଦରରେ ଜରୁରୀ ଅବତରଣ କରିବାକୁ ବିକଳ୍ପ ଦିଆଯାଇଥିଲା । କିନ୍ତୁ ତୁରନ୍ତ ଏହା ବିମାନବନ୍ଦରଠୁ ୪୦ କିମି ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସ୍ଥାନୀୟ ଲୋକେ ଦୁର୍ଘଟଣା ପୂର୍ବରୁ ଆକାଶରୁ ନିଆଁ ପିଣ୍ଡୁଳା ଖସୁ ଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାସ୍ଥଳୀର ୪୦୦ ମିଟର ଅଂଶକୁ ଘେରାବନ୍ଦୀ କରି ରଖିବା ସହ ତଦନ୍ତ କରୁଛି ।

Related Articles

Back to top button