ଟିକସ ପୈଠ କରିନଥିବାରୁ ଐଶ୍ଵର୍ଯ୍ୟାଙ୍କୁ ନୋଟିସ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଜମି ଟିକସ ବକେୟା ରଖିଥିବା ହେତୁ ନାସିକ ତହସିଲଦାର ତାଙ୍କ ଘରକୁ ଏକ ନୋଟିସ ପଠାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ନାସିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ଵର୍ଯ୍ୟାଙ୍କ ପ୍ରାୟ ୧ ହେକ୍ଟର ଜମି ଅଛି। ଏହି ଜମି ଉପରେ ଏକବର୍ଷ ହେବ ପାଖାପାଖି ୨୧,୯୬୦ ଟଙ୍କାର ଟିକସ ବକେୟା ରହିଛି। ଏହି ବକେୟା ରାଶିକୁ ଐଶ୍ଵର୍ଯ୍ୟା ପୈଠ କରି ନାହାନ୍ତି। ତେଣୁ ତହସିଲଦାରଙ୍କ ତରଫରୁ ଐଶ୍ବର୍ଯ୍ୟାଙ୍କ ବିରୋଧରେ ଏହି ନୋଟିସ ଜାନୁଆରି ୯ ତାରିଖରେ ଜାରି କରାଯାଇଛି, କିନ୍ତୁ ଏହି ନୋଟିସ ଅଭିନେତ୍ରୀ ଏଯାଏଁ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଥିସହିତ ଏହି ଘଟଣାକୁ ନେଇ ଐଶ୍ବର୍ଯ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ବି ମିଳିନାହିଁ।
ନୋଟିସରେ ଉଲ୍ଲେଖ ରହିଛି କି, ଯଦି ଐଶ୍ବର୍ଯ୍ୟା ଏହି ବକେୟା ଟିକସ ଦେବାରେ ବିଳମ୍ବ କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ନାସିକ ତହସିଲଦାର ସୂଚିତ କରିଛନ୍ତି। ତେବେ ଐଶ୍ବର୍ଯ୍ୟାଙ୍କ ସମେତ ୧୨୦୦ଜଣ ଅନ୍ୟ ସମ୍ପତ୍ତି ମାଲିକଙ୍କୁ ମଧ୍ୟ ଟିକସ ବକେୟା ଥିବା ନେଇ ନୋଟିସ ଜାରି କରାଯାଇଛି। ତୁରନ୍ତ ଏହି ବକେୟା ରାଶି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପୈଠ କରିବାକୁ ସମସ୍ତଙ୍କୁ ସୂଚିତ କରାଯାଇଛି। କାରଣ ମାର୍ଚ୍ଚମାସ ହେଉଛି ରାଜସ୍ବ ବିଭାଗର କ୍ଲେଜିଂ ମାସ।