ବିହାରର ଜମି ତଳୁ ବାହାରୁଛି ସୁନା

ନୂଆଦିଲ୍ଲୀ: ବିହାରକୁ ଏକ ଗରିବ ରାଜ୍ୟ କୁହାଯାଏ । କିନ୍ତୁ ଲୋକଙ୍କ ଏହି ଧାରଣ ଖୁବ୍ ଶୀଘ୍ର ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏବେ ମାଲାମାଲ ହେବ ବିହାର । କାରଣ ଏଠିକାର ଦୁଇ ସହରରେ ଜମି ତଳୁ ସୁନା ବାହାରିବାରେ ଲାଗିଛି । ବିହାରର ଜମୁଇ ଜିଲ୍ଲାରେ ପୂର୍ବରୁ ଦେଶର ୪୪ ପ୍ରତିଶତ ସ୍ୱର୍ଣ୍ଣ ଭଣ୍ଡାର ରହିଥିବାର ଖବର ସାମ୍ନାକୁ ଆସିଥିଲା । ସେହିପରି ପଡୋଶୀ ଜିଲ୍ଲା ବାଙ୍କାର କଟୋରିଆ ଅଞ୍ଚଳରେ ମଧ୍ୟ ଜମି ତଳେ ଲୁଚି ରହିଥିବା ସୁନା ଭଣ୍ଡାରର ଠାବ କରିବା ଲାଗି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଟିମ୍ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ଜମୁଇ ଜିଲ୍ଲାର ସୋନୋ ଅଞ୍ଚଳରେ ସ୍ୱର୍ଣ୍ଣ ଭଣ୍ଡାରର ଖୋଦେଇ ଆରମ୍ଭ ହେବା ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଜମୁଇ ଜିଲ୍ଲା ସୋନୋ ପ୍ରଖଣ୍ଡର କରମଟିଆ ଅଞ୍ଚଳରେ ଜମି ତଳେ ସ୍ୱର୍ଣ୍ଣ ଭଣ୍ଡାର ଥିବାର ଖବର କିଛି ମାସ ତଳେ କେନ୍ଦ୍ର ସରକାରର ଖଣିଜ ମନ୍ତ୍ରୀ ସଂସଦରେ ଦେଇଥିଲେ । ଏବେ ଜମୁଇ ପରେ ବାଙ୍କାରେ ସୁନା ମିଳିବା ପରେ ବିହାର ମାଲାମାଲ ହୋଇଯିବ । ଏବେ ସୋନୋ ପ୍ରଖଣ୍ଡ ଇଲାକାର ଲୋକଙ୍କ ଅପେକ୍ଷା ରହିଛି କେବେ ଅତ୍ୟାଧୁନିକ ବୈଜ୍ଞାନିକ ଟେକନିକ୍ରେ କରମଟିଆର ଗର୍ଭରୁ ସୁନା ଖୋଳାଯିବ ଓ ଏହା ଦ୍ୱାରା ବିହାର ସହିତ ସାରା ଦେଶ ବି ଉପକୃତ ହେବ ।

ସୂଚନା ମୂତାବକ ଜମୁଇ ଜିଲ୍ଲାର ସୋନୋରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ କରାଯିବା ପରେ ଦେଶର ସବୁଠାରୁ ବଡ ସୁନା ଭଣ୍ଡାର ଏଠାରେ ରହିଛି ବୋଲି ଜଣାଯାଇଛି । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁଯାୟୀ ଜମୁଇ ଜିଲ୍ଲାରେ ୩୭.୬ ଟନ୍ ଖଣିଜ ଯୁକ୍ତ ଅୟସ୍କ ସହିତ ପ୍ରାୟ ୨୨୨.୮୮ ମିଲିଅନ୍ ଟନ ସୁନାର ଭଣ୍ଡାର ରହିଛି । ବିହାରରେ ୨୨୨.୮୮୫ ମିଲିୟନ୍ ଟନ୍ ସ୍ୱର୍ଣ୍ଣ ଧାତୁ ରହିଛି ଯାହା ଦେଶର ମୋଟ ସ୍ୱର୍ଣ୍ଣ ଭଣ୍ଡାରର ୪୪ ପ୍ରତିଶତ ।

Related Articles

Back to top button