୨୮ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ
ଫେବୃଆରୀ ୨୭ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆସନ୍ତା ୨୮ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ।ଗୋପାଳପୁର ଓ ଢେଙ୍କାନାଳରେ ସର୍ବାଧିକ ୧୦ମିମି ବର୍ଷା ହୋଇଛି । ସେହିପରି ନୟାଗଡ଼ର ବରମୂଲରେ ୬.୨ମିମି, ଗଜପତିର ମହେନ୍ଦ୍ରଗଡ଼ରେ ୬.୬, ପୁରୀରେ ୬.୨, ଗଞ୍ଜାମର ପୋଲସରାରେ ୫.୨, ପୁରୀର କୃଷ୍ଣପ୍ରସାଦରେ ୫, ସମ୍ବଲପୁରରେ ୫, ସତ୍ୟବାଦୀରେ ୫, ନୟାଗଡ଼ର ରଣପୁରରେ ୪.୨ ଓ ପୁରୀର ଗୋପରେ ୪ମିମି ବର୍ଷା ରେକର୍ଡ ହୋଇଛି । ଭୋର୍ ସମୟରେ ଭୁବନେଶ୍ୱରରେ ଅସରାଏ ବର୍ଷା ହୋଇଛି । ଆହୁରି କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି ।
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ କାଲି ଦିନତମାମ ପାଗ କୋହଲା ରହିଥିଲା । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଆକାଶ ମେଘୁଆ ସହ କୋହଲା ପାଗ ରହିଥିଲା ।ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୭ରେ ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ସେବେଯାଏ ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିପାରେ ।