ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ମୟୂରଭଞ୍ଜରେ ସର୍ବାଧିକ
ବାରିପଦା: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବିଷଧର ସାପଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତିଦିନ ସାପ ଉଦ୍ଧାର ହେବା ଓ ସାପକାମୁଡ଼ା ନିତିଦିନିଆ ଘଟଣା ପାଲଟିଛି। ସଚେତନତା ଅଭାବରୁ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ଜିଲାମାନଙ୍କ ତୁଳନାରେ ମୟୂରଭଞ୍ଜ ରାଜ୍ୟର ପ୍ରଥମ ସ୍ଥାନରେ ରହିଛି। ୫ବର୍ଷ ଧରି ସାପକାମୁଡ଼ାଜନିତ ମୃତ୍ୟୁ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଆସୁଛି। ସାପ କାମୁଡ଼ା ଜନିତ ମାଗଣା ଚିକିତ୍ସା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ରହିଥିଲେ ହେଁ ଅନେକ ସମୟରେ ଠିକ୍ ଚିକିତ୍ସା ଅଭାବ, ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଚିକିତ୍ସା ଜନିତ ବିଳମ୍ବ ପାଇଁ ଜିଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିର କାରଣ ବୋଲି କୁହାଯାଉଛି।
ବାହାରିଥିବା ନଦୀ ନାଳ ଓ ବୃହତ୍ ଜଳଭଣ୍ଡାରରୁ ବର୍ଷା ଦିନେ ଉଦ୍ବୃତ୍ତ ଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଥାଏ। ଜଳପତ୍ତନ ବୃଦ୍ଧି ପାଇଲେ ସାପଗୁଡ଼ିକ ଭାସିଆସି ତଳିଆ ଅଞ୍ଚଳରେ ଥିବା ନଦୀ ସଂଲଗ୍ନ ଗ୍ରାମଗୁଡ଼ିକରେ ରହି ବଂଶ ବିସ୍ତାର କରିଥାନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଲୋକେ ବାରଣ୍ଡାରେ ଶୋଇଥିବା ସମୟରେ ସାପ କାମୁଡିବା ଯୋଗୁ ଅନେକଙ୍କ ମୃତ୍ୟୁ ହୋଇଥାଏ।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ବର୍ଷରେ ଜିଲାରେ ୪୪ଜଣଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ୨୦୧୬-୧୭ବର୍ଷରେ ୪୫, ୨୦୧୭-୧୮ବର୍ଷରେ ୭୭, ୨୦୧୮-୧୯ବର୍ଷରେ ୧୦୨, ୨୦୧୯-୨୦ବର୍ଷରେ ୯୦, ୨୦୨୦-୨୧ବର୍ଷରେ ୯୨ ଓ ୨୦୨୧-୨୨ବର୍ଷରେ ୬୮ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୮-୧୯ବର୍ଷଠାରୁ କ୍ରମାଗତ ୪ବର୍ଷ ଧରି ଜିଲାରେ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି। ୭ବର୍ଷର ହିସାବକୁ ନେଲେ ଜିଲାରେ ମୋଟ ୫୧୮ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଗାଁଗଣ୍ଡାରେ ସାପ କାମୁଡ଼ିଲେ ଲୋକେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିଥାନ୍ତି। ସୁସ୍ଥ ନ ହେଲେ ଶେଷରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥାନ୍ତି। ଏପରି ସ୍ଥଳେ ରୋଗୀଙ୍କ ଶରୀରରେ ବିଷ ଖେଳିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନ ଥାଏ। ପ୍ରାଥମିକ ଭାବେ ରୋଗୀ ଡାକ୍ତରଖାନରେ ପହଞ୍ଚତ୍ବା ପରେ ଆଣ୍ଟିି ସ୍ନେକ ଭେନମ ଇଞ୍ଜେକସନକୁ ସାଲାଇନ ଜରିଆରେ ଦିଆଯାଇଥାଏ। ଏହା ଯୋଗୁ ରକ୍ତରେ ବିଷର ପରିମାଣ ହ୍ରାସ ପାଇଥାଏ ବୋଲି ଡା. ସନତ କୁମାର ଦାଶ କହିଛନ୍ତି। ଜିଲାରେ ସାପକାମୁଡ଼ା ଚିକିତ୍ସା ଓ ଏହା ଦ୍ୱାରା ମିଳୁଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଗଲେ ସର୍ପଦଂଶନ ଜନିତ ମୃତ୍ୟୁରେ ସାମାନ୍ୟ ରୋକ ଆସିପାରନ୍ତା ବୋଲି ପରିବେଶବିତ ତଥା ଅବତୈନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।