୧୦୭ କିଲୋ ଓଜନ କମାଇଲେ ମହିଳା
ଓଜନ କମ୍ କରିବା ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇଥାନ୍ତି । ପ୍ରକ୍ରିୟାକୃତ ଖାଦ୍ୟ, ଅସ୍ୱାସ୍ଥ୍ୟକର ଚର୍ବିଯୁକ୍ତ ଖାଦ୍ୟ, ଜଙ୍କ୍ ଫୁଡ୍, କୃତ୍ରିମ ମିଠାଯୁକ୍ତ ଖାଦ୍ୟ ବଦଳରେ ଫଳ, ପରିବା, ଶସ୍ୟ ଆଦି ଖାଇବା ଉଚିତ୍ । ଏହି କ୍ରମରେ ଜଣେ ମହିଳା ଏବେ ନିଜର ଓଜନ ହ୍ରାସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ୧୬୬ କିଲୋ ଓଜନର ଏହି ମହିଳା ପ୍ରାୟ ୧୦୭ କିଲୋ ଓଜନ କମାଇଛନ୍ତି । ଏବେ ତାଙ୍କ ଓଜନ ୫୯- ୬୦ କିଲୋ । ଏଥିପାଇଁ ସେ ପୂର୍ବାପେକ୍ଷା ଅଧିକ ଖୁସି ଅଛନ୍ତି। ସେ ହେଉଛନ୍ତି ୫୨ ବର୍ଷୀୟା ଡନ୍ ଲାମ୍ବର୍ଟ।
୧୬୬ କିଲୋ ଓଜନର ଲାମ୍ବର୍ଟ ପୂର୍ବରୁ ଅତ୍ୟଧିକ ମାତ୍ରାରେ ଚିପ୍ସ ଓ ଚକ୍ଲେଟ ବାର୍ ଖାଉଥିଲେ। ଏଥିପାଇଁ ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ଶ୍ୱାସ ରୋଗ, ଗୋଡ଼ ଓ ଫୁସ୍ଫୁସ୍ରେ ରକ୍ତ ଜମିବା, ଆଇବିଏସ୍ ସିଣ୍ଡ୍ରୋମ୍ ଓ ଡାଏବର୍ଟିକୁଲିଟିସ୍ (ଖରାପ ପାଚନ ସ୍ଥିତି) ଭଳି ରୋଗରେ ସେ ଆକ୍ରାନ୍ତ ହେଲେ । ଏହା ପୂର୍ବରୁ ସେ ଅଷ୍ଟିଓଆର୍ଥରାଇଟିସ୍ ଓ ଲିପୋଏଡେମା ନାମକ ରୋଗର ମଧ୍ୟ ସମ୍ମୁଖୀନ ହୋଇଥିଲେ । ଫଳରେ ତାଙ୍କ ଗୋଡ଼ରେ ଫ୍ୟାଟ୍ ସେଲ୍ ସୃଷ୍ଟି ହେବାରେ ଲାଗିଥିଲା । ଏହି କାରଣ ଲାଗି ନିଜ ଜୀବନଶୈଳୀ ବଦଳାଇବାକୁ ଲାମ୍ବର୍ଟ ନିଷ୍ପତ୍ତି ନେଲେ । ଲାମ୍ବର୍ଟ କହନ୍ତି, ମୁଁ କଦାପି ଅନୁଭବ କରୁନଥିଲି ଯେ ମୁଁ ବହୁତ ଖାଉଛି । ସେଥିପାଇଁ ମୋର ଓଜନ ବଢ଼ିଚାଲିଲା । ଶ୍ୱାସ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ମୁଁ ଉଠି ପାରୁନଥିଲି । ଦିନେ ହୃଦୟଙ୍ଗମ କଲି ଯେ ଓଜନ ନ କମାଇଲେ ଏ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଠିକ୍ ହେବ ନାହିଁ । ଯେତେବେଳେ ମୋର ଅବସ୍ଥା ଖରାପ ହେଲା, ମୁଁ ଜଣେ ସର୍ଜନଙ୍କୁ ଭେଟିଲି। ସେ କହିଲେ ଯେ ମୋ ଶରୀରରେ ପିବିସି ଆଣ୍ଟିବଡି ଅଛି, ଯାହା ଏକ ପ୍ରକାର ଯକୃତ ରୋଗର ଆଶଙ୍କା ସୃଷ୍ଟି କରୁଛି । ଏହା ଦ୍ୱାରା ଯକୃତ ଅଚଳ ହୋଇପାରେ । ମୁଁ ଅଧିକ ଦିନ ବଞ୍ଚିବାକୁ ଚାହୁଁଥିଲି ।
ଏହା ପରେ ମୁଁ ଇନ୍ଷ୍ଟାଗ୍ରାମ୍ରେ ଏକ ପେଜ୍ ଦେଖିଲି । ସେଥିରୁ ନିଜର ଖାଦ୍ୟପେୟ ତାଲିକା ପ୍ରସ୍ତୁତ କଲି । ଧୀରେ ଧୀରେ ମୋର ଓଜନ କମିବାକୁ ଲାଗିଲା । ମୋର ଭୋକ ବି ନିୟନ୍ତ୍ରଣକୁ ଚାଲିଆସିଲା । ମୁଁ ପୂର୍ଣ୍ଣ ସଚ୍ଚୋଟତାର ସହ ଖାଦ୍ୟପେୟ ତାଲିକା ଅନୁସାରେ କାମ କଲି, ସେଥିପାଇଁ ମୋତେ ବହୁତ ଭଲ ଫଳ ମିଳିଲା । ରାତିରେ ମୁଁ ଗ୍ରିଲ୍ଡ ଖାଦ୍ୟ ଖାଉଛି । ସର୍ବପ୍ରଥମେ ମୁଁ ୫ କିଲୋ ଓଜନ କମାଇଲି । ଏହା ପରେ ମୋର ଆତ୍ମବିଶ୍ୱାସ ବଢ଼ିଲା ।’ ଓଜନ କମାଇବା ପରେ ଲାମ୍ବର୍ଟ ଏବେ ନିୟମିତ ଜିମ୍ ଯାଉଛନ୍ତି ଏବଂ ବ୍ୟାୟାମ କରୁଛନ୍ତି। ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଏବେ ସମ୍ପୂର୍ଣ୍ଣ ଦୂର ହୋଇଯାଇଛି।