କରଜରେ ବୁଡ଼ି ରହିଛି ଭୋଡ଼ା-ଆଇଡିଆ, ସେୟାର ପ୍ରତି ୧୦ ଟଙ୍କାରେ କିଣିବେ ସରକାର

ନୂଆଦିଲ୍ଲୀ: କରଜରେ ବୁଡ଼ି ରହିଥିବା ଟେଲିକମ୍‌ କମ୍ପାନୀ ଭୋଡ଼ାଫୋନ୍‌-ଆଇଡିଆ ଲିମିଟେଡ୍‌ର ଅଂଶ ଅଧିଗ୍ରହଣ କରିବେ ସରକାର । ନ୍ୟୁଜ୍‌ ଏଜେନ୍ସି ପିଟିଆଇର ସୂଚନା ମୁତାବିକ ସରକାର ଏହି କମ୍ପାନୀର ସେୟାର ୧୦ ଟଙ୍କା ଲେଖାଏଁରେ କିଣିବେ । ମାର୍କେଟ୍‌ରେ ଏହାର ମୂଲ୍ୟ ୧୦ ଟଙ୍କାରେ ସ୍ଥିର ହୋଇଯିବା ପରେ ଏହି ଅଧିଗ୍ରହଣ କରାଯିବା ନେଇ ଜଣାପଡ଼ିଛି ।

ବଜାର ନିୟାମକ ସେବି ଅନୁସାରେ ଅଂଶ ବା ସେୟାର ଅଧିଗ୍ରହଣ ସମାନ ମୂଲ୍ୟରେ ହିଁ ହେବା ଜରୁରୀ । ଭିଆଇଏଲ୍‌ର ସେୟାର ମୂଲ୍ୟ ୧୦ ଟଙ୍କା ପାଖାପାଖିରେ ସ୍ଥିର ହେବା ପରେ ଦୂରସଂଚାର ବିଭାଗ ଏହାର ଅଂଶ ଅଧିଗ୍ରହଣ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିବ ।

କହି ରଖୁଛୁ କି ଭୋଡ଼ା-ଆଇଡିଆର ସେୟାର ୧୯ ଅଗଷ୍ଟରୁ ହିଁ ୧୦ ଟଙ୍କା ତଳକୁ କାରବାର ହେଉଛି । ଗୁରୁବାର ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଏହାର ସେୟାର ୧.୦୨ ପ୍ରତିଶତ ହ୍ରାସ ସହିତ ୯.୬୮ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା ।

ଏହି କମ୍ପାନୀର ୧୬ ହଜାର କୋଟି ଟଙ୍କା ସରକାରଙ୍କୁ ଦେୟ ରହିଛି । ଏହି ଦେୟ ବଦଳରେ ଏହାର ନିର୍ଦ୍ଦେଶକ ବୋର୍ଡ ସରକାରଙ୍କୁ ପ୍ରତି ସେୟାର ୧୦ ଟଙ୍କାରେ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଜୁଲାଇରେ ଅର୍ଥ ମନ୍ତ୍ରଣାଳୟ କମ୍ପାନୀର ଅଂଶଧନ ହାସଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲା।

Related Articles

Back to top button