ଭାରତରେ ସେମି କଣ୍ଡକ୍ଟର ଚିପ୍ସ ତିଆରି ହେଲେ ଏକ ଲକ୍ଷ ଟଙ୍କାର ଲାପଟପ ମିଳିବ ୪୦ ହଜାର ଟଙ୍କାରେ: ଅନିଲ ଅଗ୍ରଓ୍ବାଲ

ମୁମ୍ବାଇ:  ଆଉ କିଛି ଦିନ ଅପେକ୍ଷା କରନ୍ତୁ, ଭଲ ଲାପଟପ୍  ୪୦ ହଜାର ଟଙ୍କାରେ ମିଳିପାରେ। ଏଭଳି ଦାବି ରଖିଛନ୍ତି ଶିଳ୍ପପତି ଅନିଲ୍ ଅଗ୍ରଓ୍ବାଲ।  ଏକ ଲକ୍ଷ ଟଙ୍କାର ଲାପଟପ  ୪୦ ହଜାର ଟଙ୍କାରେ ମିଳିବ ବୋଲି ସେ ଜାତୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଲାପଟପ୍ ଦାମ ବଢ଼ିବା ପଛରେ ମୁଖ୍ୟ କାରଣ ହେଉଛି, ଲାପଟପର ଅନେକ ଉପକରଣ  ଭାରତରେ ଉତ୍ପାଦନ ହେଉନାହିଁ। ଏଥିପାଇଁ ଚୀନ, କୋରିଆ, ତାଇଓ୍ବାନ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ଆଉ ଚୀନ ଉପରେ ନିର୍ଭର ନହୋଇ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା  କହିଛନ୍ତି ବେଦାନ୍ତ କଂପାନି ଚେୟାରମ୍ୟାନ୍ ଅନିଲ ଅଗ୍ରଓ୍ବାଲ । ତାଇଓ୍ବାନ କଂପାନି ଫକ୍ସକନ୍ ସହ ମିଶି ଗୁଜରାଟରେ ସେମି କଣ୍ଡକ୍ଟର କଂପାନି ନିର୍ମାଣ କରିବାକୁ ଚୁକ୍ତି କରିବା ପରେ ଏପରି କହିଛନ୍ତି ଅନିଲ ଅଗ୍ରଓ୍ବାଲ। ଗୁଜରାଟରେ ତାଙ୍କ କଂପାନି ୧.୫୪ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ଚୁକ୍ତି କରିସାରିଛି।

ଭାରତରେ ସେମି କଣ୍ଡକ୍ଟର ଚିପ୍ସ ବନିବା ପରେ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ କମିଯିବ। ବିଶେଷ କରି ଯେଉଁ ଭଲ ଲାପଟପ ଏବେ ଏକ ଲକ୍ଷ ଟଙ୍କାରେ ମିଳୁଛି ତାହା ୪୦ ହଜାର ଟଙ୍କାରେ ମିଳିବ ବୋଲି ସେ କହିଛନ୍ତି।

ତାଙ୍କ କଂପାନି ଏବେ ଇଲେକ୍ଟ୍ରୋନିକ୍ସ ର ବିଭିନ୍ନ ଉପକରଣ ନିର୍ମାଣ ଉପରେ ଅଧିକ  ଧ୍ୟାନ ଦେଉଛି । ମହାରାଷ୍ଟ୍ର ଏବଂ ଗୁଜରାଟରେ ଏସବୁ ଉପକରଣ ପାଇଁ ଯୋଜନା ଚାଲିଛି ।  ଆଗାମୀ ଦିନରେ ମୋବାଇଲର ଦାମ ମଧ୍ୟ କମିବ ବୋଲି ସେ କହିଛନ୍ତି । ତାଇଓ୍ବାନ ଏବଂ କୋରିଆ ଏବେ ସେମିକଣ୍ଡକ୍ଟର ଉତ୍ପାଦନ  କରୁଛନ୍ତି । ଯଦି ଏହି ସାମଗ୍ରୀ ଭାରତରେ ଉତ୍ପାଦନ କରାଯିବ ତେବେ ଏହାର ଦାମ ଅଧାକୁ ଆସିଯିବ । ବେଦାନ୍ତ ଏବେ ଫୋନର ବିଭିନ୍ନ ଉପକରଣ, ଇଲେକ୍ଟ୍ରିକ ଯାନ ନିର୍ମାଣ ପାଇଁ ଅଧିକ ଧ୍ୟାନ ଦେଉଥିବା ସେ କହିଛନ୍ତି।

Related Articles

Back to top button