୬ ସପ୍ତାହରେ ସରକାରୀ ଘର ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁରକ୍ଷା ଲାଗି ୨୦୧୬ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଦିଆଯାଇଥିବା ସରକାରୀ ଘରକୁ ସେ ୬ ସପ୍ତାହରେ ଖାଲି କରିବେ। ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ହାଇକୋର୍ଟରେ ଆବେଦନ କରି ଦିଲ୍ଲୀ ଲୁଟିୟଂସ ଅଞ୍ଚଳରେ ଥିବା  ଘରକୁ ତାଙ୍କୁ ରିଆଲମେଣ୍ଟ କରିବାକୁ ସ୍ୱାମୀ ନିବେଦନ କରିଥିଲେ। ତାଙ୍କ ରାଜ୍ୟସଭା ସଦସ୍ୟତା ସମାପ୍ତ ହୋଇ ସାରିଥିଲେ ହେଁ ସୁରକ୍ଷାଗତ କାରଣ ଦର୍ଶାଇ ଘର ରିଆଲଟ କରିବାକୁ ନିବେଦନ କରିଥିଲେ।

୧୫ ଜାନୁୟାରୀ ୨୦୧୬ରୁ ସୁବ୍ରମଣ୍ୟମ ସ୍ୱାମୀ ଏହି ଘରେ ରହି ଆସୁଛନ୍ତି। ଗତ ଏପ୍ରିଲ ମାସରେ ତାଙ୍କର ରାଜ୍ୟସଭା ସଦସ୍ୟତା ମଧ୍ୟ ସମାପ୍ତ ହୋଇଯାଇଛି। ତେବେ ପୁଣି ସେହି ସୁରକ୍ଷାଗତ କାରଣ ଦର୍ଶାଇ ସ୍ୱାମୀ ଘରେ ରହିବାକୁ ଚାହୁଁଛନ୍ତି।  ହେଲେ କୋର୍ଟରେ କେନ୍ଦ୍ର ସରକାର ତାଙ୍କ ପିଟିସନକୁ ବିରୋଧ କରିଛନ୍ତି। ମନ୍ତ୍ରୀପରିଷଦ ଓ ନ୍ୟାୟାଧୀଶଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଜାତୀୟ ରାଜଧାନୀରେ ସରକାରଙ୍କୁ ଘରର ଜରୁରୀ ଆବଶ୍ୟକତା ଅଛି।

ଗୃହମନ୍ତ୍ରାଳୟଙ୍କ ପକ୍ଷରୁ ହାଇକୋର୍ଟରେ ଉପସ୍ଥିତ ଓକିଲ ସଞ୍ଜୟ ଜୈନ ସରକାରୀ ଘରେ ରହିବା ପାଇଁ ତାଙ୍କ ସମୟ ସୀମା ବିସ୍ତାର କରାଯାଇପାରିବନି ବୋଲି କହିଛନ୍ତି। ସାର୍ବଜନିକ ପରିସର ଅଧିନିୟମ ଅନୁସାରେ ସ୍ୱାମୀଙ୍କୁ ପରିସରର ଅନାଧିକୃତ ଦଖଲକାରୀ ଘୋଷଣା କରାଯାଇଛି। ଏଣୁ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ୬ ସପ୍ତାହ ମଧ୍ୟରେ ସରକାରୀ କ୍ୱାର୍ଟର ଖାଲି କରିଦେବାକୁ କହିଛନ୍ତି। ସ୍ୱାମୀଙ୍କୁ ୨୦୧୬ ମସିହାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଆଲଟ କରିଥିଲେ। ଏହି ବଙ୍ଗଳାଟି ତାଙ୍କୁ ୫ ବର୍ଷ ପାଇଁ ଦିଆଯାଇଥିଲା।

Related Articles

Back to top button