ସୁରଟରେ ଦୈନିକ ତିଆରି ହେଉଛି ୨୫ ଲକ୍ଷ ତ୍ରିରଙ୍ଗା: ଚଳିତବର୍ଷ ୫୦୦ରୁ ୬୦୦ କୋଟି ଟଙ୍କା ପହଞ୍ଚିପାରେ କାରବାର

ସୁରଟ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ କେନ୍ଦ୍ର ସରକାର ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ  ଜାତୀୟ ପତାକା ଉଡାଇବାକୁ ଆହ୍ୱାନ କରିଛନ୍ତି। ଏଣୁ ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ପତାକା କାରବାର ବଢି ଯାଇଛି। ଯାହାର ସିଧା ଲାଭ ଏବେ ଜାତୀୟ ପତାକା ନିର୍ମାଣକାରୀ ଓ ଏଥି ସହିତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମିଳୁଛି।

ସରକାରଙ୍କ ଆହ୍ୱାନ ଯୋଗୁ ଦେଶରେ ୨୫ରୁ ୩୦ କୋଟି ପତାକା ବିକ୍ରି ହୋଇପାରେ ବୋଲି ଏକ ଅନୁମାନ କରାଯାଉଛି। ଚଳିତବର୍ଷ ଅଗଷ୍ଟ ୧୫ରେ ପଲିଷ୍ଟର ଓ ମେସିନ ତିଆରି ଜାତୀୟ ପତାକା ଉଡାଇବାକୁ  ସରକାର ମଞ୍ଜୁର  କରିଛନ୍ତି। ଏଣୁ ସବୁଠୁ ଅଧିକ ଅର୍ଡର ଗୁଜରାଟର ସୁରଟ ବ୍ୟବସାୟୀଙ୍କୁ ମିଳିଛି। ବ୍ୟବସାୟୀଙ୍କ ଅନୁସାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଲାଗି ଦେଶରେ ୨୦୦ରୁ ୨୫୦ କୋଟି ଟଙ୍କାର ଜାତୀୟ ପତାକା ବିକ୍ରି ହୋଇଥାଏ। ତେବେ ଚଳିତବର୍ଷ ଏହି ବିକ୍ରି ପରିମାଣ ୫୦୦ରୁ ୬୦୦ କୋଟି ଟଙ୍କାକୁ ପହଞ୍ଚିପାରେ।

ସାଉଥ ଗୁଜରାଟ ଟେକ୍ସଟାଇଲ ପ୍ରୋସେସର୍ସ ଆସୋସିଏସନ ଅନ୍ତର୍ଗତ ବ୍ୟବସାୟୀଙ୍କ ଅନୁସାରେ ସୁରଟର ବ୍ୟବସାୟୀଙ୍କୁ ୧୦ କୋଟି ଟଙ୍କାର ପତାକା ଲାଗି ଅର୍ଡର ମିଳିଛି। ଏହାକୁ ଦେଖି ଅନେକ ବେପାରୀ ଯେଉଁମାନେ ଜାତୀୟ ପତାକା ତିଆରନ୍ତିନି ସେମାନେ ମଧ୍ୟ ନୂଆ କରି ଜାତୀୟ ପତାକା ତିଆରିରେ ଲାଗିପଡିଛନ୍ତି। ପୂର୍ବରୁ ଜାତୀୟ ପତାକା ଖଦି ଓ ଅନ୍ୟ କପଡାରେ ତିଆରି ହେଉଥିଲା। ତେବେ ଭାରତ ସରକାର ଭାରତୀୟ ଧ୍ୱଜ ସଂହିତାର ପରିବର୍ତ୍ତନ କରି ପଲିଷ୍ଟର କପଡାରେ ପତାକା ତିଆରି ଲାଗି ଅନୁମତି ଦେଇଥିବାରୁ ଅନେକ ନୂଆ କାରିଗରଙ୍କୁ କାମ ମିଳିଯାଇଛି।

ଏହି ବ୍ୟବସାୟୀମାନଙ୍କୁ ଯେଉଁ ଅର୍ଡର ମିଳିଛି ଏଥିରେ ଅଧିକାଂଶ କେନ୍ଦ୍ର ସରକାରଙ୍କ ଅର୍ଡର ରହିଛି। ଏହା ବାଦେ ମଧ୍ୟ ରାଜ୍ୟ ସରକାରମାନଙ୍କର ପତାକା ଅର୍ଡର ମଧ୍ୟ ମିଳୁଛି। ସରକାରୀ ଅର୍ଡରର ପତାକା ଆକାର ୧୬-୨୪ ଓ ୨୦-୩୦ ଇଞ୍ଚର ଓ ପ୍ରିତ ପତାକା ୨୦ରୁ ୩୫ ଟଙ୍କରେ ବିକ୍ରି ହେଉଛି।

Related Articles

Back to top button