କଇଁଛ ‘ଗସ୍‌’କୁ ୧୦୦ ବର୍ଷ, ମ୍ୟୁଜିୟମ୍‌ରେ ଚାଲିବ ୩ ଦିନ ପାର୍ଟି

କାନାଡାର ହାଲିଫାକ୍ସ ସ୍ଥିତ ନୋଭା ସ୍କଟିୟା ମ୍ୟୁଜିୟମ୍‌ ଅଫ୍‌ ନ୍ୟାଚୁରାଲ୍‌ ହିଷ୍ଟ୍ରୀରେ ୧୯୪୦ ମସିହାରୁ ରହି ଆସୁଥିବା କଇଁଛଟି ୧୦୦ ବର୍ଷ ବୟସରେ ପାଦ ଦେଇଛି । କଇଁଛର ନାମ ହେଉଛି ଗସ୍‌ । ଏହି କଇଁଛର ଜନ୍ମଦିନ ଅବସରରେ ଗତ ଶୁକ୍ରବାର, ଶନିବାର ଓ ଆଜି ଅର୍ଥାତ ରବିବାର ତିନିଦିନ ଧରି ପାର୍ଟିର ଆୟୋଜନ କରାଯାଇଛି । ଏନେଇ ମ୍ୟୁଜିୟମ୍‌ର ମ୍ୟାନେଜର ଜେଫ୍‌ ଗ୍ରେ କହିଛନ୍ତି, ମ୍ୟୁଜିୟମ୍‌କୁ ଆସି ଗସ୍‌ର ଜନ୍ମଦିନ ପାଳନ କରିବା ଲୋକଙ୍କ ପାଇଁ ଏକ ସୁଯୋଗ ।

ଗସ୍‌ର ସମ୍ମାନରେ ମ୍ୟୁଜିୟମ୍‌ରେ ସ୍ୱତନ୍ତ୍ର କଇଁଛ ହସ୍ତଶିଳ୍ପ, ମ୍ୟୁଜିୟମ୍‌ ଗସ୍ତ ଓ ଜନ୍ମଦିନ କପ୍‌କେକ୍‌ ଆଦି କାର୍ଯ୍ୟକ୍ରମ ରହିଛି । ଗସ୍‌ ଫ୍ଲୋରିଡାର ସିଲ୍‌ଭର ସ୍ପ୍ରିଙ୍ଗସ ସ୍ଥିତ ରୋସ୍‌ ଆଲେନ୍‌ ରେପ୍ଟାଇଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଜନ୍ମ ହୋଇ ବଡ଼ ହୋଇଥିଲା । ନୋଭା ସ୍କଟିୟା ମ୍ୟୁଜିୟମ୍‌ର ନିର୍ଦ୍ଦେଶକ ଡନ୍‌ କ୍ରାଉଡିସ୍‌ ଗସ୍‌କୁ ୫ ଡଲାରରେ କିଣି ୧୯୪୨ ମସିହାରେ କାନାଡା ଆଣିଥିଲେ ।

ନୂଆ ଲୋକଙ୍କୁ ଭେଟିବାକୁ ଗସ୍‌ ଭଲପାଏ । କୋଳି, ଲେଟ୍ୟୁସ୍‌ ଓ କଦଳୀ ତା’ର ପ୍ରିୟ ଖାଦ୍ୟ । ଗୋଫର୍‌ ପ୍ରଜାତିର ଏହି କଇଁଛର ଜୀବନ କାଳ ଜଙ୍ଗଲରେ ୪୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଗସ୍‌ ଆଉ କେତେ ଦିନ ବଞ୍ଚିବ, ତାହା କହିବା ମୁସ୍କିଲ । କିନ୍ତୁ ଯେପର୍ଯ୍ୟନ୍ତ ସେ ବଞ୍ଚିବ, ତା’ ସହ ପ୍ରତିଦିନ ପର୍ବ ଭଳି ପାଳନ କରିବାକୁ ମ୍ୟୁଜିୟମ୍‌ କର୍ମଚାରୀମାନେ ପ୍ରୟାସ କରୁଛନ୍ତି ।

Related Articles

Back to top button