୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏନ୍‌ଆଇଏନ୍‌ଏଲ

ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ସରକାରୀ ଅଧୀକୃତ କମ୍ପାନୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ)ର ସ୍ଥିତି ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଏପରିକି ନିକଟରେ ଶେଷ ହୋଇଥିବା କମ୍ପାନୀର ମାଲିକାନା ଓ ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ସମସ୍ତ ନୀତି ନିୟମ ମଧ୍ୟରେ ଶେଷ ହୋଇଛି। ଏ ନେଇ ବୁଧବାର ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍‌ର ଅଧ୍ୟକ୍ଷ ଟି. ଭି. ନରେନ୍ଦ୍ରନ୍‌ କହିଛନ୍ତି, ଏନ୍‌ଆଇଏନ୍‌ଏଲର ଅଧିଗ୍ରହଣ ହେଉଛି ଏକ ଐତିହାସିକ ସଫଳତା ଏବଂ ଟାଟା ଗ୍ରୁପ୍‌ ପାଇଁ ଏକ ସ୍ବତନ୍ତ୍ର ଲଙ୍ଗ ପ୍ରଡକ୍ଟସ୍‌ କାରଖାନା ଗଠନ ଦିଗରେ ଏହା ବେଶ୍‌ ଉପଯୋଗୀ ହେବ। ଅପରପକ୍ଷରେ ଆଗାମୀ ୩ ମାସ ମଧ୍ୟରେ ଉକ୍ତ କାରଖାନା କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଉଥିବା ଲକ୍ଷ୍ୟ ରଖାଯାଇଛି। ଆମେ ବର୍ତ୍ତମାନର ପୂର୍ବ କର୍ମଚାରୀଙ୍କୁ ନେଇ କାମ କରିବା ସହ ବିଗତ ୨ବର୍ଷ ଧରି ବନ୍ଦ ପଡ଼ି ରହିଥିବା କାରଖାନାକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ନରେନ୍ଦ୍ରନ କହିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ଏବଂ ୧୨ ମାସ ମଧ୍ୟରେ ଏହାର ଧାର୍ଯ୍ୟ କ୍ଷମତା ହାସଲ କରିବା ନେଇ କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି। ସେହିଭଳି ଟାଟା ଷ୍ଟିଲ୍‌ ଏନ୍‌ଆଇଏନ୍‌ଏଲର କ୍ଷମତା ବୃଦ୍ଧି କରି ୫୦ଲକ୍ଷ ଟନ୍‌ କରିବା ଏବଂ ଏଥିପାଇଁ ଆବଶ୍ୟକ ମଞ୍ଜୁରୀ ହାସଲ କରିବାକୁ ମଧ୍ୟ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ଅତ୍ୟାଧୁନିକ କାରଖାନା ନିକଟରେ ଏନ୍‌ଆଇଏନ୍‌ଏଲ୍‌ ଥିବାରୁ ଏହା ଟାଟା ଷ୍ଟିଲ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଏହା ସମ୍ମିଳିତ ଭିତ୍ତିଭୂମି, ସମ୍ବଳ, ପରିଚାଳନା ଇଦ୍ୟାତିରେ ସମନ୍ବୟ ଯୋଗାଇ ଦେବା ସହ ଏକ ଉତ୍ସର୍ଗୀକୃତ ଓ ଦୀର୍ଘସ୍ଥାୟୀ ଲଙ୍ଗ୍‌ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ଗଠନ କରିବା ଦିଗରେ ସୁଯୋଗ ପ୍ରଦାନ କରିବ। ଯଥାଶୀଘ୍ର ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରି ଆଗାମୀ କିଛି ବର୍ଷ ମଧ୍ୟରେ ବାର୍ଷିକ ୪.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଲଙ୍ଗ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ମାଧ୍ୟମରେ କ୍ଷମତା ସମ୍ପ୍ରସାରିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

Related Articles

Back to top button