ଋଚିରା କମ୍ବୋଜ ହେବେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି

ବରିଷ୍ଠ କୂଟନୀତିଜ୍ଞ ଋଚିରା କମ୍ବୋଜ ହେବେ ଜାତିସଂଘ (ୟୁଏନ)ରେ ଭାରତର ସ୍ଥାୟୀ ପ୍ରତିନିଧି। ବିଦେଶମନ୍ତ୍ରାଳୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ୟୁଏନର ଏହି ପଦବୀରେ ଏବେ ଅବସ୍ଥାପିତ ଭାରତର ଟି.ଏସ୍.ତିରୁମୂର୍ତ୍ତିଙ୍କ ସ୍ଥାନ ନେବେ। ଋଚିରା ଭାରତ ବିଦେଶ ସେବାର ୧୯୮୭ ବ୍ୟାଚ୍ ର ଅଫିସର। ସେ ଏବେ ଭୁଟ୍ଟାନରେ ଭାରତର ରାଜଦୂତ ଅବସ୍ଥାପିତ ଅଛନ୍ତି।

ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ଭାରତର ଉଚ୍ଚାୟୁକ୍ତ ଓ ୟୁନେସ୍କୋରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି। ଋଚିରା ଭୁଟ୍ଟାନରେ ଦେଶର ପ୍ରଥମ ମହିଳା ରାଜଦୂତ। ସେ ତାଙ୍କ କ୍ୟାରିୟର ଫ୍ରାନ୍ସରେ ଥାର୍ଡ ସେକ୍ରେଟାରୀ ଭାବେ ଆରମ୍ଭ କରିଥିଲେ। ଏହି ଅବଧିରେ ସେ ଫରାସୀ ଭାଷା ଶିକ୍ଷା କରି ଦୂତାବାସରେ ଦ୍ୱିତୀୟ ସେକ୍ରେଟାରୀଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ।

ପରେ ସେ ବିଦେଶ ମନ୍ତ୍ରାଳୟରେ ଅଣ୍ଡରସେକ୍ରେଟାରୀ ଅବସ୍ଥାପିତ ଥିବା ବେଳେ ପଶ୍ଚିମ ଇୟୁରୋପ ଡିଭିଜନର କାମ ଦେଖରେଖ କରୁଥିଲେ। ପରେ ତାଙ୍କୁ ମରିସସରେ ଫାଷ୍ଟ ସେକ୍ରେଟାରୀ ଭାବେ ଅବସ୍ଥାପିତ କରାଯାଇଥିଲା। ଏହା ଛଡା ସେ ବୈଦେଶିକ ମନ୍ତ୍ରାଳୟଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି।

Related Articles

Back to top button