ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭୋଡାଫୋନ୍-ଆଇଡିଆ, ବନ୍ଦ ହୋଇପାରେ ନେଟୱାର୍କ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭୋଡାଫୋନ୍-ଆଇଡିଆ। ନଭେମ୍ବରରୁ ହଠାତ୍ ବନ୍ଦ ହୋଇପାରେ ଭୋଡାଫୋନ୍-ଆଇଡିଆ ନେଟୱାର୍କ। ଯଦି ଏପରି ହୁଏ ତେବେ ଭିଆଇର ୨୫ କୋଟିରୁ ଅଧିକ ଗ୍ରାହକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ। ଭୋଡାଫୋନ୍-ଆଇଡିଆ ଉପରେ ଇଣ୍ଡସ୍ ଟାୱାର୍ସର ପ୍ରାୟ ୭୦୦୦ କୋଟି ଟଙ୍କାର ବକେୟା ରହିଛି। ଯଦି ଏହି ଟଙ୍କା ନଦେଇ ପାରେ ତେବେ ଭୋଡାଫୋନ-ଆଇଡିଆ ନେଟୱାର୍କ ବନ୍ଦ କରିବ ବୋଲି ଇଣ୍ଡସ୍ ଟାୱାର ଚେତାବନୀ ଦେଇଛି।

ନଭେମ୍ବରରୁ ଟେଲିକମ୍ କମ୍ପାନୀର ନେଟୱାର୍କ ବନ୍ଦ ହୋଇପାରେ ବୋଲି ଇଟି ରିପୋର୍ଟ ସୂତ୍ରରୁ ଜାଣାପଡିଛି। ସୋମବାର ଇଣ୍ଡସ୍ ଟାୱାରର ବୋର୍ଡ ମିଟିଂ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କମ୍ପାନୀର ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା। ଏହା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଭୋଡାଫୋନ୍ ଆଇଡିଆକୁ ଚିଠି ଲେଖି ବକେୟା ଟଙ୍କା ଦେବାକୁ ଚେତାବନୀ ଦେଇଛି। ଉଲ୍ଲେଖନୀୟ ଥାଉକି ଯେ, ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପରେ ଭୋଡାଫୋନ୍ ଆଇଡିଆ ହେଉଛି ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଏହା ବର୍ତ୍ତମାନ ଅନେକ ଋଣ ଦେଇ ଗତି କରୁଛି। ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଦୀପାବଳିରେ 5ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଉଥିବା ବେଳେ ଭୋଡାଫୋନ୍ ଆଇଡିଆ ଏପର୍ଯ୍ୟନ୍ତ କୌଣସି ପ୍ରକାର ଘୋଷଣା କରିନାହିଁ।

ଭୋଡାଫୋନ୍-ଆଇଡିଆ 5ଜି ଯୋଗାଉଥିବା କମ୍ପାନୀ ଏବଂ ଟାୱାର କମ୍ପାନୀଗୁଡିକ ସହିତ କାରବାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କୁହାଯାଉଛି। କାରଣ କମ୍ପାନୀଗୁଡିକରେ ପୁରୁଣା ଦେୟ ନସୁଝିବା ଯାଏ ନୂତନ ସେବା ପାଇଁ ଅଗ୍ରୀମ ରାଶି ଦେବାକୁ ଭୋଡାଫୋନ ଆଇଡିଆକୁ କୁହାଯାଉଛି। ଏହି କମ୍ପାନୀଗୁଡିକର ଭିଆଇ ଉପରେ ୧୩୦୦୦ କୋଟି ଟଙ୍କା ବକେୟା ଟଙ୍କା ରହିଥିବା କୁହାଯାଉଛି। ଏଥି ସହିତ ନୋକିଆର ୩୦୦୦ ଏବଂ ଏରିକ୍ସନର ୧୦୦୦ କୋଟି ଟଙ୍କାର ଋଣ ଥିବା ବିଷୟରେ କୁହାଯାଉଛି। ଭୋଡାଫୋନ-ଆଇଡିଆ ସରକାରୀ ଓ ଘରୋଇ ବ୍ୟାଙ୍କରୁ ୨୩୦୦୦ କୋଟିର ଲୋନ୍ ନେଇଛି। ଏପରି ଭାବେ କମ୍ପାନୀ ଉପରେ ଏବେ ୧.୮ ଲକ୍ଷ କୋଟିର କରଜ ରହିଛି ।

Related Articles

Back to top button