କୋରୋନାରୁ ସୁସ୍ଥ ହେଲେ ମହମ୍ମଦ ସାମି

ହାଇଦ୍ରାବାଦ: ଟିମ ଇଣ୍ଡିଆ ପାଇଁ ଆଶ୍ବସ୍ତିକର ଖବର । କୋରୋନାରୁ ସୁସ୍ଥ ହେଲେ ଫାଷ୍ଟ ବୋଲର ମହମ୍ମଦ ସାମି। ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ସାମି କୋରୋନାରେ ଆକ୍ରାନ୍ତ ହୋଇ ଦଳରୁ ବାଦ ପଡିଥିଲେ । ତାଙ୍କ ଜାଗାରେ ଫାଷ୍ଟ ବୋଲର ଉମେଶ ଯାଦବ ଦଳରେ ସ୍ଥାନ ପଇଥିଲେ । ତେବେ ମହମ୍ମଦ ସାମିଙ୍କ କୋଭିଡ ରିପୋର୍ଟ ନେଗେଟିଭ  ଆସିଥିବା ନେଇ ବୁଧବାର ଇଷ୍ଚାଗ୍ରାମରେ ସୂଚନା ଦେଇଛନ୍ତି ନିଜେ ଫାଷ୍ଟ ବୋଲର ।

ଅସୁସ୍ଥତା କାରଣରୁ ସାମି ଦଳରୁ ବାଦ ପଡିବା ପରେ ତାଙ୍କ ବଦଳରେ ଅଷ୍ଟ୍ରେଲିଆ ସିରିଜରେ ସ୍ଥାନ ପାଇଥିଲେ ଫାଷ୍ଟ ବୋଲର ଉମେଶ ଯାଦବ । ସେପଟେ ଆଜି ସନ୍ଧ୍ୟାରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ତେଣୁ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ମହମ୍ମଦ ସାମି କୋରୋନାରୁ ସୁସ୍ଥ ହୋଇ ନଥିବାରୁ ତାଙ୍କ ବଦଳରେ ପୁଣି ଉମେଶ ଯାଦବଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଚୟନ କରାଯାଇଛି ।

ଚଳିତ ବର୍ଷ କ୍ୟାଲେଣ୍ଡାରେ ସାମି ଆଦୌ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଖେଳି ନାହାଁନ୍ତି । ବର୍ଷ ୨୦୨୧ ନଭେମ୍ବରରେ ନାମିବ୍ୟା ବିପକ୍ଷରେ ଶେଷ ଥର ପାଇଁ ଟି୨୦ ଖେଳିଥିଲେ ଏହି ଫାଷ୍ଟ ବୋଲର । ସେପଟେ ୨୦୨୨ ଆଇପିଏଲ ସଂସ୍କରଣରେ ସାମି ଗୁଜୁରାଟ ଟାଇଟନ୍ସ ପକ୍ଷରୁ ପ୍ରତିନିଧିତ୍ବ କରି ୧୬ଟି ମ୍ୟାଚରୁ ୨୦ଟି ୱିକେଟ ନେଇଥିଲେ । ସେହିପରି ଟି୨୦ ବିଶ୍ବକପ ସ୍କ୍ବାଡରେ ସାମିଙ୍କୁ ଷ୍ଟାଣ୍ଡ ବାଏରେ ରଖାଯାଇଛି । ସେପଟେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଏହି ସିରିଜ ଜରିଆରେ ଭାରତୀୟ ଟି-20 ଟିମ ବିଶ୍ବକପ ପୂର୍ବରୁ ଡେଥ ଓଭର ବୋଲିଂ ସମସ୍ୟା ସୁଧାରିବା ସହ ବ୍ୟାଟିଂରେ ଭଲ ପ୍ରଦର୍ଶନ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବିଶ୍ରାମ ନେଇଥିବା ଯୁବ ପେସ ବୋଲର ଅର୍ଶଦୀପ ସିଂହ ଦଳରେ ସାମିଲ ହେବା ପରେ ଡେଥ ଓଭର ବୋଲିଂ ଶକ୍ତି ବୃଦ୍ଧି ପାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିଛି। ଅଲରାଉଣ୍ଡର ଦୀପକ ହୁଡ୍ଡା ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଦଳରେ ସ୍ଥାନ ମିଳିଛି ।

Related Articles

Back to top button