ଆଜି ହେଉଛି ମାତୃଭାଷା ଦିବସ

। ଆଜିର ଦିନଟି ବହୁତ ସ୍ୱତନ୍ତ୍ର । କାରଣ ଆଜି ଫେବୃଆରୀ ୨୧ ତାରିଖ ହେଉଛି ବିଶ୍ୱ ମାତୃଭାଷା ଦିବସ । ଆମେ ଜନ୍ମ ହେଲାପରେ ପ୍ରଥମେ ଯେଉଁ ଭାଷାରେ କଥା କହିବା ଆରମ୍ଭ କରୁ, ତାହା ହେଉଛି ଆମର ମାତୃଭାଷା । ଆମେ ପରିବାର ଲୋକଙ୍କ ସହ ବି ଆମ ମାତୃଭାଷାରେ କଥାବାର୍ତ୍ତା କରିଥାଉ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ହିଁ ମାତୃଭାଷା ଦିବସ ପାଳନର ବିଶେଷତ୍ତ୍ୱ । ଏହା ପ୍ରଥମେ ଇଉନେସ୍କୋ ଦ୍ୱାରା ୧୯୯୯ ମସିହାରେ ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାରେ ୨୦୦୮ ମସିହାରେ ଗୃହୀତ ହୋଇଥିଲା ।

ଆମେ ବିଶ୍ୱର ଯେକୌଣସି ଭାଷା ଶିଖି ପାରିବା । ଭାଷା ଆମକୁ ପରସ୍ପର ସହ ସମ୍ପର୍କ ଯୋଡ଼ିବାରେ ସହାୟକ ହୁଏ । ଆମ ମନର ଭାବନାକୁ ଅନ୍ୟ ପାଖରେ ପହଞ୍ଚାଇବାର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ଭାଷା । ଜଗତୀକରଣ ପ୍ରକ୍ରିୟା କାରଣରୁ ବିଶ୍ୱର ଅନେକାଂଶରେ ମାତୃଭାଷା ଅବହେଳିତ ହୋଇଯାଉଛି । ଲୋକେ ନିଜ ମାତୃଭାଷା ଅପେକ୍ଷା ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରି ଦେଖାଦେଇଛି ଯେ ଲୋକେ ଅନେକ ସ୍ଥାନରେ ଲୋକେ ନିଜ ମାତୃଭାଷା କହିବା ପାଇଁ ମଧ୍ୟ କୁଣ୍ଠାବୋଧ କରିଥାନ୍ତି । ଏହାଦ୍ବାରା ନା କେବଳ ଭାଷା, ବରଂ ଭାଷା ସହ ଜଡ଼ିତ ଆମ ସଂସ୍କୃତି ଓ ପରମ୍ପରା ମଧ୍ୟ ମଳିନ ପଡିଯାଉଛି । ଯାହା ରାଜ୍ୟ ତଥା ଦେଶ ପାଇଁ ଏକ ବଡ ବିପଦ ସଦୃଶ । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମାତୃଭାଷାକୁ ଗୁରୁତ୍ତ୍ୱ ଦେବା ସହ ଏହାର ସୁରକ୍ଷା କରିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ରହିଛି । ଏପରିକି ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥାର ନାମ ଫଳକ ମାତୃଭାଷାରେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି : “ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।”

କବିଙ୍କର ଏହି ପଂକ୍ତିଟି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ସଦୃଶ। ବାସ୍ତବରେ ମାତୃଭାଷାର ବିକାଶରେ ହିଁ ଗୋଟିଏ ଜାତିର ବିକାଶ ହୋଇଥାଏ। ଆମ ମାତୃଭାଷା ଆମ ପରିଚୟର ମୂଳଦୂଆ । ତାକୁ ଅବହେଳା ନକରି କିପରି ବିଶ୍ବସ୍ତରରେ ପରିଚିତ କରାଇବା, ତାହା ଆମର ଦାୟିତ୍ବ ହେବା ଉଚିତ । ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆମେ ସମସ୍ତେ ସଙ୍କଳ୍ପ ବଦ୍ଧ ହୋଇ ଆମ ମାତୃଭାଷାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବା ଏବଂ ମାତୃଭାଷାର କ୍ଷେତ୍ରକୁ ବର୍ଦ୍ଧିତ କରିବାରେ ସହାୟକ ହେବା।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ସ୍ୱତନ୍ତ୍ର ଦିନ ବିଷୟରେ।

Related Articles

Back to top button