ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା: ଅଶ୍ବିନୀ ବୈଷ୍ଣବ
ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ
ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଟିଭି-୯ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଗ୍ରାହକମାନେ ଅପେକ୍ଷାକୃତ ଶସ୍ତାରେ ୫-ଜି ସେବା ପାଇପାରିବେ ।
ଭାରତରେ ଡାଟା ମୂଲ୍ୟ ସମଗ୍ର ବିଶ୍ବରେ ସର୍ବନିମ୍ନ । ବିଶ୍ବରେ ଡାଟା ମୂଲ୍ୟ ହାରାହାରି ୨୫ ଡଲାର ଥିବାବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି । ୫-ଜି ସେବା କ୍ଷେତ୍ରରେ ବି ଏହି ଶସ୍ତା ଦର ଲାଗୁ ରହିବ ।
ସେ କହିଛନ୍ତି ଯେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ୫-ଜି ଟେକନଲୋଜୀ ଓ ଉପକରଣର ବିକାଶ କରିଛି । ଭାରତର ଏହି ଟେକନଲୋଜୀକୁ ବ୍ୟବହାର କରିବାକୁ ବିଶ୍ବର ଅନ୍ୟ କେତେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା । ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍ଟିଭ୍ ନେଟ୍ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ ।