କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ

ଡେରାଡୁନ: କେଦାରନାଥରେ ଧସିଲା ବରଫ ପାହାଡ । ଆଜି(ଶନିବାର)ସକାଳେ ଦେବଭୂମି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ ହୋଇଛି । ତେବେ ଏଥିରେ କେଦାରନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ହିମସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ପ୍ରଭାବିତ ହେବା ନେଇ ଏ ଯାଏଁ କୌଣସି ହସ୍ତଗତ ହୋଇନାହିଁ ।

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସଭାପତି ଅଜେନ୍ଦ୍ର ଅଜୟ କହିଛନ୍ତି, ”ଆଜି ସକାଳ ସମୟରେ କେଦାରନାଥ ମନ୍ଦିର ପଛ ପଟୁ ହିମାଳୟ ପର୍ବତରୁ ବିଶାଳକାୟ ବରଫଖଣ୍ଡ ଖସିଥିଲା । ଏହାଯୋଗୁଁ ମନ୍ଦିରର କୌଣସି କ୍ଷତି ହୋଇନାହିଁ ।” ହେଲେ ହଠାତ୍ ବରଫଖଣ୍ଡ ଖସିବା ଦେଖି କେଦାରନାଥ ଧାମରେ ଥିବା ତୀର୍ଥଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ତେବେ ଗତମାସ ପରଠୁ ହିମସ୍ଖଳନର ଏହା ଦ୍ବିତୀୟ ଘଟଣା ।

ଏହାପୂର୍ବରୁ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟା ସମୟରେ କେଦାରନାଥ ଧାମ ପାଖରେ ଥିବା ଚୋରାବାରି ଗ୍ଲାସିୟରରେ ବରଫଖଣ୍ଡ ଧସିଥିଲା । ସେ ସମୟରେ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତି ଘଟିନଥିଲା । ତେବେ ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ଅନେକ ସମୟରେ ଭୂସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି । ଗୁରୁବାର ଦିନ ହଠାତ୍ ଭୂସ୍ଖଳନ ଯୋଗୁଁ ରୁଦ୍ରପ୍ରୟାଗ ନିକଟସ୍ଥ ଜାତୀୟ ରାଜପଥର ଯାତାୟତ ପ୍ରଭାବିତ ହୋଇଥିଲା ।

Related Articles

Back to top button