ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି ଅନମୋଲ ବିଷ୍ଣୋଇ

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି। ଆମେରିକାରେ ଅନମୋଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସଲମାନଙ୍କ ଟ୍ରେଲର ଦେଖାଇବା ପାଇଁ ଆମେ ଏହି ଆକ୍ରମଣ କରିଛୁ। ଏହା ଆମର ପ୍ରଥମ ଏବଂ ଶେଷ ଚେତାବନୀ ।

ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ଗୁଳି ଚଳାଇଥିବା ବ୍ୟକ୍ତିକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏହି ଘଟଣା ପରେ ପୋଲିସ୍ ପକ୍ଷରୁ ଜୋର୍‌ଦାର୍ ତଦନ୍ତ କରାଯାଉଛି । ମୁମ୍ବାଇ ପୁଲିସ ମାମଲାକୁ ଗମ୍ଭୀରତାର ସହ ନେଇଛି । ପୁଲିସ କହିଛି ଯେ, ଯଦିଓ ଲରେନ୍ସ ବିଷ୍ଣୋଇ ଜେଲରେ ଅଛି, କିନ୍ତୁ ତା’ର ଗ୍ୟାଙ୍ଗ ବାହାରେ ଅଛନ୍ତି ଏବଂ ଗୋଲ୍ଡି ବରାଡ଼ ମଧ୍ୟ ବାହାରେ ଅଛି। ଏହି ଗ୍ୟାଙ୍ଗ ଅଭିନେତାଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯାଇଛି। ସୂଚନା ଅନୁସାରେ, ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨-୩ ରାଉଣ୍ଡ ଗୁଳି ଫୁଟିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ଓ ଏଟିଏସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ପୋଲିସ ବର୍ତ୍ତମାନ ଏହି ଅଞ୍ଚଳର ଅନ୍ୟ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

Related Articles

Back to top button