ରାମ ମନ୍ଦିର ନିର୍ମାଣ ପାଇଁ ଦାନରେ ମିଳିଛି ୫୪୦୦ କୋଟି, ବାଉନ୍ସ ହୋଇଛି ୨୨ କୋଟି ମୂଲ୍ୟର ଚେକ୍

ନିଧି ସମର୍ପଣ ଅଭିଯାନରେ ମିଳିଥିବା ପ୍ରାୟ ୧୫୦୦୦ ଚେକ୍ ବାଉନ୍ସ ହୋଇ ଯାଇଛି, କିଛି ତ୍ରୁଟି କାରଣରୁ ଏହାର ଅର୍ଥ ମିଳି ପାରିନାହିଁ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଜାରି ରହିଛି । ପ୍ରତିଦିନ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ କେବଳ ଭଗବାନ ଶ୍ରୀରାମଙ୍କ ଦର୍ଶନ କରୁ ନାହାନ୍ତି ବରଂ ମନ୍ଦିର ନିର୍ମାଣ ପାଇଁ ଦାନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏ ପର୍ଯ୍ୟନ୍ତ ଦାନସ୍ୱରୂପ ୫୪୦୦ କୋଟି ଟଙ୍କା ମିଳି ସାରିଥିବା ଦାବି କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଏଥିରୁ ନିଧି ସମର୍ପଣ ଅଭିଯାନରେ କେବଳ ତିନି ମାସରେ ୩୫୦୦ କୋଟି ଟଙ୍କା ଟ୍ରଷ୍ଟକୁ ମିଳିଛି । ହେଲେ ଏହି ଅଭିଯାନ ସମୟରେ ମିଳିଥିବା ୧୫୦୦୦ ଚେକ୍ ବାଉନ୍ସ ହୋଇଯାଇଛି, ଯାହାର ମୂଲ୍ୟ ୨୨ କୋଟି ହେବ ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର୍ଯ୍ୟାଳୟର ପ୍ରଭାରୀ ପ୍ରକାଶ ଗୁପ୍ତା କହିଛନ୍ତି ଗୋଟିଏ ବର୍ଷ ପୂର୍ବେ ନିଧି ସମର୍ପଣ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାର ଅବଧି ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା । କିନ୍ତୁ ଏବେ ଲୋକେ ମନ୍ଦିର ନିର୍ମାଣ ପାଇଁ ସ୍ୱଇଚ୍ଛାରେ ଅର୍ଥ ଦାନ କରୁଛନ୍ତି । ଅଦ୍ୟାବଧି ମନ୍ଦିର ନିର୍ମାଣରେ ଟ୍ରଷ୍ଟକୁ ପାଖାପାଖି ୫୪୦୦ କୋଟି ଟଙ୍କା ମିଳି ସାରିଛି । ଏଥିରୁ ପ୍ରାୟ ୩୫୦୦ ଟଙ୍କା କେବଳ ନିଧି ସମର୍ପଣ ଅଭିଯାନ ସମୟରେ ମିଳିଛି ବୋଲି ପ୍ରକାଶ ଗୁପ୍ତା କହିଛନ୍ତି ।

ସେ କହିଛନ୍ତି, ନିଧି ସମର୍ପଣ ଅଭିଯାନରେ ମିଳିଥିବା ପ୍ରାୟ ୧୫୦୦୦ ଚେକ୍ ବାଉନ୍ସ ହୋଇ ଯାଇଛି । କିଛି ତ୍ରୁଟି କାରଣରୁ ଏହାର ଅର୍ଥ ମିଳି ପାରିନାହିଁ । ଏହାର ମୂଲ୍ୟ ୨୨ କୋଟି ଟଙ୍କା ହେବ । ବ୍ୟାଙ୍କରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚେକ୍ ବାଉନ୍ସ ହୋଇଛି । ହେଲେ ଯେଉଁ ଲୋକଙ୍କ ଚେକ୍ ବାଉନ୍ସ ହୋଇଛି, ସେମାନେ ଟ୍ରଷ୍ଟର କର୍ମଚାରୀଙ୍କ ସହ ଯୋଗାଯୋଗ କରି ପୁନଃ ସ୍ୱେଚ୍ଛାକୃତ ଭାବେ ଧନରାଶି ଦେଉଛନ୍ତି ବୋଲି ଗୁପ୍ତା କହିଛନ୍ତି ।

Related Articles

Back to top button