ଡେକାନ୍‌ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ

ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ବୁଧବାର ଅପରାହ୍ନରେ ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ହାଇଦ୍ରାବାଦ ଡେକାନ୍‌ ରେଳ ଷ୍ଟେସନ ହେଉଛି ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ।ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସ୍‌ସିଆର) ଅଧିକାରୀଙ୍କ କହିବା ଅନୁଯାୟୀ, ଟ୍ରେନ୍‌ଟି ଷ୍ଟେସନରେ ପହଞ୍ଚିବା ବେଳକୁ ଏହା ଧୀର ବେଗରେ ଗତି କରୁଥିଲା ଏବଂ ଶେଷ ବିନ୍ଦୁକୁ ଅତିକ୍ରମ କରି ଯାଇଥିଲା। ଯାହା ଫଳରେ ଟ୍ରେନ୍‌ର ୩ଟି ବଗି (ଏସ୍‌୨, ଏସ୍‌୩ ଓ ଏସ୍‌୬) ଲାଇନଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ଏସସିଆରର ଜଣେ ଅଧିକାରୀ କହିଛନ୍ତି। ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସ ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇରୁ ବାହାରିବା ପରେ ଟ୍ରେନ୍‌ଟି ବୁଧବାର ଅପରାହ୍ନରେ ହାଇଦ୍ରାବାଦରେ ପହଞ୍ଚିଥିଲା। ତେବେ, ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ରେଳବାଇ ଅଧିକାରୀ ଜଣକ କହିଛନ୍ତି।

Related Articles

Back to top button