
ଲଦାଖ ଏଲଏସିରେ ଚୀନ ନିର୍ମାଣ କରିଥିଲା ବଡ ବେସ୍, ଉପଗ୍ରହ ଫଟୋରୁ ମିଳିଲା ସୂଚନା
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗରେ ବାସ୍ତବ ନିୟନ୍ତ୍ରଣ ରେଖାରେ ନିଜେ ମାଡି ବସିଥିବା ସ୍ଥାନଠୁ ୩ କିଲୋମିଟର ପଛକୁ ହଟିଛି ଚୀନ। ଏନଡିଟିଭି ଦ୍ଵାରା ନୂତନ ଉପଗ୍ରହ ଛବିରୁ ଏହାର ସୂଚନା ମିଳିଛି। ପରସ୍ପର ସହମତି ଭିତ୍ତିରେ ଉଭୟ ଦେଶର ସେନା ପଛକୁ ହଟିଛନ୍ତି। ତେବେ ଉକ୍ତ ଅଞ୍ଚଳରେ ଚୀନ ବିରାଟ ବେସ୍ ନିର୍ମାନ କରିଥିଲା। ଯୁଦ୍ଧ ପାଇଁ ବଡ ପ୍ରସ୍ତୁତି କରିଥିଲା ଚୀନ। ଉପଗ୍ରହ ଛବିରୁ ଏହାର ଖୁଲାସା ହୋଇଛି।
ଉପଗ୍ରହ ଛବି ଅନୁଯାୟୀ, ଏହି ଫଟୋରେ କେବଳ ଚୀନ ସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଏଥିରେ ଦୁଇ ପକ୍ଷର ସେନା ମଧ୍ୟରେ ନିର୍ମିତ ବଫର ଜୋନ କିମ୍ବା ନୋ ମ୍ୟାନ୍ସ ଲ୍ୟାଣ୍ଡର ସୀମାକୁ ଦର୍ଶାଯାଇ ନାହିଁ। ପରସ୍ପରର ବିଶ୍ଵାସ ସୃଷ୍ଟି ପାଇଁ ଏହି ଅଞ୍ଚଳରେ କୌଣସି ପକ୍ଷ ପାଟ୍ରୋଲିଂ କରି ପାରିବେ ନାହିଁ।
୨୦୨୨ ଅଗଷ୍ଟ ୧୨ର ପୂର୍ବ ଫଟୋରୁ ଜଣା ପଡିଛି ଯେ, ଚୀନ ସେନା ବାସ୍ତବ ନିୟନ୍ତ୍ରଣ ରେଖା ଅପର ପାର୍ଶ୍ଵରେ ବଡ କୋଠା ନିର୍ମାଣ କରିଥିଲା। ଏଠାରେ ଏଲଏସି ପାର ୨୦୨୦ରେ ଚୀନର ଅନୁପ୍ରବେଶ ପୂର୍ବରୁ ଭାରତୀୟ ସେନା ପାଟ୍ରୋଲିଂ କରୁଥିଲେ। ଏହି ଅଞ୍ଚଳ ବଡ ବଡ ଖାଇରେ ଘେରି ରହିଥିଲା।
ସେପ୍ଟେମ୍ବର ୧୫ ତାରିଖର ଉପଗ୍ରହ ଛବିରୁ ଜଣା ପଡୁଛି, ଚୀନ ଏହି କୋଠାକୁ ଭାଙ୍ଗି ଦେଇଛି ଏବଂ ନିର୍ମାଣର ଭଗ୍ନାବଶେଷକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଏକ ଫଟୋରୁ ଜଣା ପଡିଛି ଯେ, ଚୀନ ଦ୍ଵାରା ଖାଲି କରାଯାଇଥିବା ସ୍ଥାନ ଉପରେ ଦୁଇ ପକ୍ଷଙ୍କ ବିଘଟନ ରାଜିନାମା ଆଧାରରେ ଲାଗୁ କରାଯାଇଛି।
ଆଉ ଏହା ମଧ୍ୟ ଜଣା ପଡିଛି ଯେ, ଯେଉଁ ଅଞ୍ଚଳରେ ଭାରତ ଦିନେ ପାଟ୍ରୋଲିଂ କରୁଥିଲା ଉକ୍ତ ଅଞ୍ଚଳକୁ ଏବେ ଭାରତକୁ ହରାଇବାକୁ ପଡିଛି। ଏହି ଅଞ୍ଚଳର ପରିସୀମା ପ୍ରାୟ ୪୦ ବର୍ଗ କିମି ହେବ। ଚୀନ ସହ ବିବାଦ ପୂର୍ବରୁ ଉକ୍ତ ଅଞ୍ଚଳରେ ଭାରତ ପାଟ୍ରୋଲିଂ କରୁଥିଲା। ଚୁସୁଲର କର୍ପୋରେଟର କୋଞ୍ଚୋକ ଷ୍ଟେନଜିନ କହିଛନ୍ତି ଆମର ସୈନିକ କେବଳ ପାଟ୍ରୋଲିଂ ପଏଣ୍ଟ ୧୫ରୁ ନୁହେଁ ବରଂ ପାଟ୍ରୋଲିଂ ପଏଣ୍ଟ ୧୬ରୁ ମଧ୍ୟ ପଛକୁ ହଟିଛନ୍ତି। ଏହି ଅଞ୍ଚଳ ଆମ ପାଖରେ ୫୦ ବର୍ଷ ଧରି ଥିଲା। ଏହା ଭାରତ ପାଇଁ ଏକ ବଡ ଝଟକା। ଏହା ଗୋଚର ଭୂମି ଥିଲା ଏବଂ ସ୍ଥାନୀୟ ଲୋକେ ନିଜର ଗୃହପାଳିତ ପଶୁ ଚରାଉଥିଲେ।
ଚଳିତ ବର୍ଷ ଜୁଲାଇ ୧୭ରେ କମାଣ୍ଡରସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ୧୬ମ ରାଉଣ୍ଡ ଆଲୋଚନା ପରେ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ଗୋଗ୍ରା ହଟ୍ ସ୍ପ୍ରିଙ୍ଗର ବିଘଟନ ଘଟିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ଦେଶ ଏହା ଉପରେ ସହମତି ହୋଇଛନ୍ତି ଯେ, ଉକ୍ତ ଅଞ୍ଚଳରେ ନିର୍ମାଣ ସମସ୍ତ ଅସ୍ଥାୟୀ ଢାଞ୍ଚା ଏବଂ ଅନ୍ୟ ଭିତ୍ତିଭୂମି ଭଙ୍ଗା ଯିବ।