ଭୋପାଳରେ ଅନୁଷ୍ଠିତ ହେବ ଦେଶର ପ୍ରଥମ ବିବାହ ବିଚ୍ଛେଦ ଉତ୍ସବ: କେବଳ ଡିଭୋର୍ସ ହୋଇଥିବା ଲୋକଙ୍କୁ ନିମନ୍ତ୍ରଣ

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ କାର୍ଯ୍ୟକ୍ରମ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ଭୋପାଲରେ ଏପରି ଏକ ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ବିବାହର ସମସ୍ତ ରିତି ନୀତି ରହିବ, ବ୍ୟାଣ୍ଡ, ବାଜା, ବାରାତି ମଧ୍ୟ ଆସିବ। ହେଲେ ଉତ୍ସବରେ କେଉଁଠି ହେଲେ କନ୍ୟାଙ୍କୁ ଦେଖିବାକୁ ମିଳିବନି। ଶୁଣିବାକୁ ଅଜବ ଲାଗୁଛି ହେଲେ ସତ।

ଭୋପାଳରେ ‘ଭାଇ ୱେଲଫେୟାର ସୋସାଇଟି’ ସେପ୍ଟେମ୍ବର ୧୮ ତାରିଖ ଦିନ ବିବାହ ବିଚ୍ଛେଦ ସମାରୋହର ଆୟୋଜନ କରିବାକୁ ଯାଉଛି। ଯାହା ଠିକ ଏକ ବିବାହ ଉତ୍ସବ ଭଳି ହେବ। ଏଥିରେ ଏକ ବିବାହର ସମସ୍ତ ରିତିରିବାଜର ପାଳନ ମଧ୍ୟ ହେବ। ଉତ୍ସବରେ ଏପରି ଅଧଡଜନ ଲୋକେ ସାମିଲ ହେବେ ଯେଉଁମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଏଥିଲାଗି ବିବାହ ଉତ୍ସବ ଭଳି ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ଏବେ ବଣ୍ଟା ଚାଲିଛି।

କାର୍ଡରେ ଜୟମାଲା ବିସର୍ଜନ, ସଦବୁଦ୍ଧି ସୁଦ୍ଧିକରଣ ଯଜ୍ଞ, ବରଯାତ୍ରୀ, ବର ସଙ୍ଗୀତ ମାନବ ସମ୍ମାନରେ କାର୍ଯ୍ୟ କରିବା ପାଇଁ ସାତ ପାଦ ଓ ସାତ ପ୍ରତିଜ୍ଞା କରାଯିବ। ଏହା ଛଡା ମୁଖ୍ୟ ଅତିଥିଙ୍କ ଦ୍ୱାରା ବିବାହ ବିଚ୍ଛେଦ ହୋଇଥିବା ଲୋକଙ୍କୁ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି। ଭାଇ ୱେଲଫେୟାର ସୋସାଇଟିର ଅଧ୍ୟକ୍ଷ ଜକି ଅହମଦ ତାଙ୍କ ସଂସ୍ଥା ସେହି ପୁରୁଷଙ୍କ ପାଇଁ କାମ କରୁଛି ଯେଉଁମାନେ  ପତ୍ନୀଙ୍କ ଦ୍ୱାରା ଉତ୍ପିଡିତ ବୋଲି କହିଛନ୍ତି।

ମହିଳାଙ୍କ ଲାଗି ଅନେକ ସଙ୍ଗଠନ ଅଛନ୍ତି, ଯେଉଁମାନେ କାମ କରୁଛନ୍ତି। ତେବେ କୌଣସିଠାରେ ପୁରୁଷଙ୍କର ଶୁଣାଣି ହେଉନି। ଡିଭୋର୍ସ ବେଳେ ମଧ୍ୟ ପୁରୁଷକୁ ଅନେକ ଯନ୍ତ୍ରଣା ସହିବାକୁ ପଡୁଛି। ଏହି ସବୁ କଥାକୁ ଧ୍ୟାନରେ ରଖି ଏହା ନିଷ୍ପତ୍ତି ନିଆଯାଇଛି ଯେ ଏପରି ପୁରୁଷଙ୍କର ଦୁଃଖ ବଣ୍ଚା ଯାଉ, ଯେଉଁମାନେ ଡିଭୋର୍ସ ଯୋଗୁ କଷ୍ଟ ଭୋଗିଛନ୍ତି ବୋଲି ଜକି ଅହମଦ କହିଛନ୍ତି। ଏହା ଦ୍ୱାରା ଲୋକେ ସେମାନଙ୍କର ଦୁଃଖ ଓ ଯନ୍ତ୍ରଣାକୁ ଭୁଲି ପୁଣି ଥରେ ନୂଆ ଜୀବନ ଆରମ୍ଭ କରିପାରିବେ ବୋଲି ଅହମଦ ଆଶାବ୍ୟକ୍ତ କରିଛନ୍ତି।

Related Articles

Back to top button