ପଶୁଙ୍କ ଅନ୍ତିମ ସଂସ୍କାର ପାଇଁ ଦେଶର ପ୍ରତି ଜିଲ୍ଲାରେ ନିର୍ମାଣ ହେବ ଶ୍ମଶାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଲମ୍ପି ଭାଇରସର ପ୍ରକୋପ ବଢିବାରେ ଲାଗିଛି । ଭାଇରସ ଯୋଗୁଁ ରାଜସ୍ଥାନ ସହ ଅନ୍ୟ କିଛି ରାଜ୍ୟରେ ପଶୁଙ୍କ ମୃତ୍ୟୁର ଭୟାବହ ଚିତ୍ର ସାମନାକୁ ଆସୁଛି । ପଶୁଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି ଜାତୀୟ ପଶୁ ମଙ୍ଗଳ ବୋର୍ଡ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ମଧ୍ୟମରେ ମୃତ ପଶୁଙ୍କୁ ସମ୍ମାନ ଦିଆଯିବା ଦରକାର ବୋଲି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶୁଙ୍କ ମୃତ ଶରୀରକୁ ଖୋଲାରେ ନ ଫିଙ୍ଗିବାକୁ କୁହାଯାଇଛି । ପଶୁଙ୍କ ଅନ୍ତିମ ସଂସ୍କାର ପାଇଁ ନିଜ ରାଜ୍ୟର ସବୁ ଜିଲ୍ଲାରେ ଅତି କମରେ ଗୋଟିଏ ଶ୍ମଶାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ପଶୁ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଡା. ଓପି ଚୌଧୁରୀ ସବୁ ରାଜ୍ୟକୁ ଜାରି କରିଥିବା ନିଜର ଚିଠିରେ କହିଛନ୍ତି, ‘କୌଣସି ପଶୁ ଯେକୌଣସି କାରଣରୁ ଆମ ଜୀବନରେ ଆସିଥାଏ । ସେମାନେ ଆମକୁ ବିନା କୌଣସି ସର୍ତରେ ଭଲ ପାଇବା ଶିଖାଇଥାନ୍ତି, ପ୍ରତିବଦ୍ଧତା ଏବଂ ବିଶ୍ୱସ୍ତ ହେବର ଶିକ୍ଷା ଦେଇଥାନ୍ତି। ସେମାନଙ୍କ ଜୀବନରୁ ଆମେ ଅନେକ କିଛି ଶିଖିଥାଉ । ଏହାପରେ ଦିନେ ସେହି କଠୋର ବାସ୍ତବିକତାର ସାମନା କରିବାକୁ ପଡିଥାଏ, ଯେଉଁଦିନେ ସେମାନେ ପ୍ରାଣ ଛାଡନ୍ତି’ ।

ପଶୁଙ୍କ ମୃତ ଶରୀର ସତ୍କାର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ମୃତ ପଶୁଙ୍କ ପାଇଁ ରୋଗ ବ୍ୟାପିବା ରୋକିବା, ପାଣି ଏବଂ ପବନର ଗୁଣ ବତ୍ତା ବଜାୟ ରଖିବା ପାଇଁ ପଶୁଙ୍କ ପୋତିବା କିମ୍ୱା ଜଳିବା ଏକ ଜରୁରୀ ପଦକ୍ଷେପ ବୋଲି ସେ କହିଛନ୍ତି । ଦେଶରେ ଅନେକ ସମୟରେ ପଶୁ ମାଲିକ ମୃତ ପଶୁର ସମ୍ମାନଜନକ ଅନ୍ତିମ ସଂସ୍କାର ଚାହିଁଥାନ୍ତି, କିନ୍ତୁ ଉପଯୁକ୍ତ ସ୍ଥାନ ନଥିବାରୁ ତାହା ସମ୍ଭବ ହୋଇପାରୁ ନାହିଁ।

Related Articles

Back to top button