ସୀମା ବିବାଦ ନେଇ କିର୍ଗିଜ୍‌ସ୍ତାନ ଓ ତାଜିକିସ୍ତାନ ମୁହାଁମୁହିଁ ହେଲେ

ସୀମା ବିବାଦ ନେଇ ମୁହାଁମୁହିଁ ହେଲେ କିର୍ଗିଜ୍‌ସ୍ତାନ ଓ ତାଜିକିସ୍ତାନ। ସୀମାରେ ଫୁଟିଲା ଗୁଳି। କେନ୍ଦ୍ର ଏସିଆର ଏହି ଦୁଇ ଦେଶର ଯବାନ ସୀମା ବିବାଦ ନେଇ ବର୍ଡରରେ ପରସ୍ପର ପ୍ରତି ଗୁଳି ଚାଳନା କରିଛନ୍ତି। ବୁଧବାର ଦୁଇ ଦେଶର ମଧ୍ୟରେ ଗୁଳି ଚାଳନା ହୋଇଥିବା ଉଭୟ ଦେଶ ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ସୁରକ୍ଷା କମିଟି ବୈଠକର ପୂର୍ବ ସନ୍ଧ୍ୟାରେ ଏହି ଗୁଳି ଚାଳନା ହୋଇଛି। ତାଜିକ ସୈନ୍ୟମାନେ ସୀମାରେ ଅନୁପ୍ରବେଶ କରି ଏକ ଅଞ୍ଚଳକୁ ବେଆଇନ୍ ଭାବେ କବ୍‌ଜା କରିଥିବା ଅଭିଯୋଗ କରିଥିଲା କିର୍ଗିସ୍ତାନ। ଏହାପରେ ଦୁଇ ଦେଶ ମଧ୍ୟରେ ଗୁଳି ଚାଳନା ହୋଇଥିଲା।

ତାଜିକସ୍ତାନର ଅଭିଯୋଗ ଅନୁସାରେ, କିର୍ଗିଜର ବୋର୍ଡର ଗାର୍ଡମାନେ ତାଜିକସ୍ତାନର ସେନାପୋଷ୍ଟ ଉପରେ ଗୁଳିମାଡ଼ କରିବା ସହ ମୋର୍ଟାର ମାଡ଼ କରିଥିଲେ। ଏଥିରେ ଜଣେ ତାଜିକ ସୈନ୍ୟର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲା। ଆର୍‌ଆଇଏ ନଭୋସ୍ତି ନ୍ୟୁଜ୍ ଏନେଇ ରିପୋର୍ଟ ପ୍ରକାଶ କରିଛି। ତେବେ କିର୍ଗିସ୍ତାନ ପକ୍ଷରୁ ସେନା ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନା ଥାଉକି, ଦୁଇ ଦେଶ ମଧ୍ୟରେ ଏକ ହଜାର କିମି (୬୦୦ ମାଇଲ୍)ର ସୀମା ବିବାଦ ଲାଗି ରହିଛି। ଯାହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଲାଗି ରହିଥାଏ। ପରସ୍ପର ପରସ୍ପରକୁ ଘେରିବାକୁ ଚେଷ୍ଟା କରିଥାନ୍ତି। ତେବେ ସୀମା ବିବାଦର ସମାଧାନ ପାଇଁ ଅନେକ ଥର ଚେଷ୍ଟା ହୋଇଥିଲେ ବିଫଳ ହେଉଥିବା କାରଣରୁ ସୀମାରେ ଏଭଳି ଗୁଳି ଫୁଟିଛି।

ଉଭୟ କିର୍ଗିସ୍ତାନ ଓ ତାଜିକସ୍ତାନ ଋଷର ସହଯୋଗୀ ରାଷ୍ଟ୍ର ହୋଇଥିବା ବେଳେ ଏମାନେ ଋଷର ମିଲାଟାରୀ ବେସର ରକ୍ଷଣାବେକ୍ଷଣ ମଧ୍ୟ କରନ୍ତି। ତେବେ ଦୁଇ ଦେଶ ମଧ୍ୟର ସୀମା ବିବାଦ ଅନେକ ଥର ରକ୍ତପାତର ରୂପ ନେଉଛି। ଗତ ବର୍ଷ ସ୍ଥିତି ଏମିତି ହୋଇଥିଲା ଯେ ଯୁଦ୍ଧ ସ୍ଥିତି ଉପୁଜିଥିଲା। ହେଲେ ପରେ ଋଷର ମଧ୍ୟସ୍ଥତାରେ ଯୁଦ୍ଧ ହେଉ ହେଉ ଟଳିଥିଲା।

Related Articles

Back to top button