ବାୟୁସେନାରେ ସାମିଲ୍ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଲିକପ୍ଟର, LCH ପ୍ରଚଣ୍ଡରେ ଉଡିଲେ ରାଜନାଥ

ନୂଆଦିଲ୍ଲୀ: ‘ପ୍ରଚଣ୍ଡ’ ଦେଖାଇବ ପରାକ୍ରମ । ରାଡାରକୁ ଦେବ ଚକମା । ବାୟୁସେନାରେ ସାମିଲ୍ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ । ଯୋଧପୁରରେ ବାୟୁସେନାରେ ‘ପ୍ରଚଣ୍ଡ’କୁ ସାମିଲ୍ କରାଯାଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର ରଡାରକୁ ଚକମା ଦେବାରେ ସକ୍ଷମ ।

ଯୋଧପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ଷମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ହେଲିକପ୍ଟରକୁ ବାୟୁସେନାରେ ସାମିଲ୍ କରିଛନ୍ତି । ହାଲକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ବାୟୁସେନାର ଶକ୍ତି ବଢ଼ାଇବ । ଏଥିରେ ଏକାଧିକ ମିସାଇଲ୍ ସହ ଯୁଦ୍ଧାସ୍ତ୍ରର ବ୍ୟବହାର କରାଯାଇ ପାରିବ । ଉଚ୍ଚସ୍ତାନରେ ବ୍ୟବହାର ଲାଗି ଏହି ହେଲିକପ୍ଟରକୁ ବିକଶିତ କରାଯାଇଛି । ରାଜସ୍ଥାନର ଯୋଧପୁର ଏୟାର ଫୋର୍ସ ବେସ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ୍ବିଙ୍ଗ କମାଣ୍ଡର ୟୁନିଫର୍ମ ପରିଧାନ କରି ଏକ ଲଢୁଆ ହେଲିକପ୍ଟରରେ ଉଡାଣ ମଧ୍ୟ ଭରିଛନ୍ତି । ଏହି ହେଲିକପ୍ଟରର ନାମକରଣ ପ୍ରଚଣ୍ଡ କରାଯାଇଛି ।

୫.୮ ଟନ୍ ଓଜନର ହେଲିକପ୍ଟର ‘ପ୍ରଚଣ୍ଡ’ରେ ୨ଟି ଇଞ୍ଜିନ୍ ରହିଛି । ଘଣ୍ଟାପ୍ରତି ୨୭୦ କିଲୋମିଟର ବେଗରେ ଏହା ଉଡ଼ି ପାରିବ । ଏହାର ଲମ୍ବ ୫୧.୧ ଫୁଟ୍ ରହିଥିବା ବେଳେ ଉଚ୍ଚତା ୧୫.୫ ଫୁଟ୍ । ବଡ଼ କଥା ହେଉଛି ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’ ଉପରେ ଗୁଳିଗୋଳାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା ୫୦ କିଲୋମିଟର ପରିଧି ମଧ୍ୟରେ ଏବଂ ୧୬ ହଜାର ୪୦୦ ଫୁଟ୍ ଉଚ୍ଚତାରୁ ଶତ୍ରୁ ଉପରେ ଆକ୍ରମଣ କରି ପାରିବ ।

ଏହାକୁ ଆତଙ୍କବାଦୀ ବିରୋଧ ଅପରେସନରେ ବ୍ୟବହାର କରାଯାଇ ପାରିବ । ଏଥିସହ ନକ୍ସଲ ବିରୋଧୀ ଅପରେସନରେ ଏହା ଗ୍ରାଉଣ୍ଡ ଫୋର୍ସକୁ ସହାୟତା କରି ପାରିବ । ୧୦ଟି ଲାଇଟ୍ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’କୁ ସେନାରେ ସାମିଲ୍ କରାଯିବ । ୫ଟି ହେଲିକପ୍ଟର ବାୟୁସେନା ଓ ଆଉ ୫ଟି ସ୍ଥଳସେନାରେ ସାମିଲ୍ ହେବ ।

Related Articles

Back to top button