ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଜାଲିଆତି ମାମଲା: ଚିତ୍ରା ରାମକ୍ରିଷ୍ଣା – ଆନନ୍ଦ ସୁବ୍ରମଣ୍ୟମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଜାଲିଆତି ମାମଲାରେ NSEର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣା ଏବଂ ପୂର୍ବତନ ଅଧିକାରୀ ଆନନ୍ଦ ସୁବ୍ରମଣ୍ୟଙ୍କୁ ଜାମିନ ମିଳିଛି । ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଦୁହେଁ ଜାମିନ ପାଇଛନ୍ତି । ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାତୀୟ ତଦନ୍ତକାରୀ ବ୍ୟୁରୋ ସମ୍ପୂର୍ଣ୍ଣ ଚାର୍ଜସିଟ ଦାଖଲ କରିନଥିବାରୁ ଜଷ୍ଟିସ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ସେମାନଙ୍କୁ ବୈଧାନିକ ଜାମିନ  ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକା ସହ ଜାମିନ ଦେଇଛନ୍ତି ହାଇକୋର୍ଟ ।

ଖଣ୍ଡପୀଠ ଏହାମଧ୍ୟ କହିଛନ୍ତି, ସିବିଆଇ ଏଫଆଇଆର ଉଲ୍ଲେଖ ସମସ୍ତ ଅନିୟମିତତା ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଧାର୍ଯ୍ୟ ସମୟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଛି । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଚିତ୍ରା ରାମକ୍ରିଷ୍ଣା ଏବଂ ଓ ସୁବ୍ରମଣ୍ୟମଙ୍କୁ ବୈଧାନିକ ଜାମିନ ଦେଇଛନ୍ତି । ଗତ ମେ’ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଚିତ୍ରା ଏବଂ ଏନଏସଇ ଗ୍ରୁପ ଅପରେଟିଂ ଅଫିସର ସୁବ୍ରମଣ୍ୟମଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଉଭୟଙ୍କୁ ଜାମିନ ଦେବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଥିଲେ । ଏହାକୁ ଦୁହେଁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ବୁଧବାର ଦୁଇ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି ।

ଚିତ୍ରା ରାମକୃଷ୍ଣ 2013ରୁ 2016 ପର୍ଯ୍ୟନ୍ତ NSEର ସିଇଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ହିମାଳୟର ଯୋଗୀଙ୍କ ସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଗୋପନୀୟ କଥା ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ନେଉଥିବା ସେବି ତଦନ୍ତରୁ ଜଣାପଡ଼ିଥିଲା । ପରେ ସେହି ଯୋଗୀ ଆନନ୍ଦ ସୁବ୍ରମଣ୍ୟମ ହୋଇଥିବା ସ୍ପଷ୍ଟ ହୋଇଥିଲା । ବର୍ତ୍ତମାନ ସିବିଆଇ ଦେଶର ଏହି ସର୍ବବୃହତ ଷ୍ଟକ ଏକ୍ସଚେଞ୍ଜରେ ଅନିୟମିତତା ମାମଲାର ତଦନ୍ତ କରୁଛି ।

୨୦୧୮ରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଅନିମିତତା ନେଇ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଏବଂ ତାଙ୍କ ଉପଦେଷ୍ଟା ଆନନ୍ଦ ସୁବ୍ରମଣ୍ୟମଙ୍କୁ ପଚରାଉଚରା କରିଥିଲା । ଜେରା ସମୟରେ ଚିତ୍ରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଏହାପରେ ଗତ ମାର୍ଚ୍ଚ ୬ ତାରିଖରେ ଚିତ୍ରା ରାମକୃଷ୍ଣ ଗିରଫ ହୋଇଥିଲେ । ପୂର୍ବରୁ ଗିରଫ ଆଶଙ୍କା ନେଇ ସେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

Related Articles

Back to top button