ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ହେବ
ନୂଆଦିଲ୍ଲୀ: ପୁନର୍ବାର ଦିଲ୍ଲୀରେ ଉପରାଜ୍ୟପାଳ ଓ ଆପ ସରକାର ମଧ୍ୟରେ ବିବାଦ ରୂପୀ ନାଟକ ଆରମ୍ଭ ହୋଇଛି । ଶୁକ୍ରବାର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମଦ ଦୋକାନ ଖୋଲିବା ନେଇ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଆପ ସରକାର ନୂତନ ଅବକାରୀ ନୀତିକୁ ଅଣଦେଖା କରି ମନ ଇଚ୍ଛା ମଦ ଦୋକାନଗୁଡିକୁ ଟେଣ୍ଡର ପ୍ରଦାନ କରିଥିଲେ । ସିବିଆଇ ତଦନ୍ତ ପରେ ଘଟଣାର ସତ୍ୟତା ସମ୍ମୁଖକୁ ଆସିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରିପୋର୍ଟ ମୁତାବକ ଜିଏନସିଟିଡି ଆକ୍ଟ ୧୯୯୧, ବ୍ୟାପାର ନିୟମ ୧୯୯୩, ଅବକାରୀ ନୀତି ୨୦୦୯ ଓ ଦିଲ୍ଲୀ ଅବକାରୀ ନିୟମ ୨୦୧୦ର ଉଲ୍ଲଂଘନ ଅଭିଯୋଗର ତଦନ୍ତ ସିବିଆଇ କରିବ ।
ପୂର୍ବରୁ ସିଙ୍ଗାପୁର ଯିବା ନେଇ କେଜ୍ରିୱାଲ ଓ ଉପ ରାଜ୍ୟପାଳ ମୁହାଁ ମୁହିଁ ହୋଇଥିଲେ । ଆପ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ସତ୍ୟେନ୍ଦ୍ର ଜୈନଙ୍କ ପରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଟାର୍ଗେଟ କରାଯାଉଛି ।