ତାମିଲନାଡୁରେ ମାଟି ଖୋଳୁ ଖୋଳୁ ମିଳିଲା ସୁନା

ଚେନ୍ନାଇ: ମାଟି ଖୋଳୁ ଖୋଳୁ ମିଳିଲା ସୁନା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ ତାମିଲନାଡୁ କାଞ୍ଚିପୁରମ ଜିଲ୍ଲାରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । କାଞ୍ଚିପୁରମ ଜିଲ୍ଲା ଅନ୍ତର୍ଗତ ଭଡାକ୍କୁପଟ୍ଟୁ ଗାଁରେ ଖନନ କାର୍ଯ୍ୟ ଚାଲୁଥିବାବେଳେ ମାଟି ତଳୁ ୧.୬ ଗ୍ରାମର ସୁନା ଗହଣା ଠାବ ହୋଇଛି । ସୂଚନା ମୁତାବକ, ଗତ ଜୁଲାଇ ୩ରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀପେରୁମ୍ବୁଦୁର ନିକଟ ଓରାଗଡାମ ଏବଂ ଭଡାକ୍କୁପଟ୍ଟୁ ଗ୍ରାମରେ ଖନନ କାର୍ଯ୍ୟ ଚାଲିଛି । ସ୍ଥାନୀୟ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପାଇଁ ଦୀର୍ଘ ତିନି ମାସ ହେଲାଣି ଏହି ଖନନ କରାଯାଉଛି ।

ଏହି ଖନନ କାର୍ଯ୍ୟରୁ ଏ ପର୍ଯ୍ୟନ୍ତ ହଜାର ହଜାର ବର୍ଷ ପୁରାତନ ପଥରର ଘଣ୍ଟି, କାଚର ଘଣ୍ଟି ଓ କିଛି ହାଡ ଠାବ ହୋଇଛି । କିଛି କଳା ଓ ଲାଲ୍ ମାଟିପାତ୍ର, ଜନ୍ତୁ ଶିକାରରେ ବ୍ୟବହୃତ ବିଭିନ୍ନ ହାତ ନିର୍ମିତ ଉପକରଣ ସାଙ୍ଗକୁ ୧.୬ ଗ୍ରାମ ସୁନା ଗହଣା ମଧ୍ୟ ମିଳିଛି । ଏହାବ୍ୟତୀତ ରୋମାନ ସଭ୍ୟତାର ଶାମୁକା, କାଚ ମୋତି, ଖେଳଣା, ଅଳଙ୍କାର, ଲୌହ ସାମଗ୍ରୀ, କଙ୍କଣ ଆଦି ବହୁ ସାମଗ୍ରୀ ଠାବ ହୋଇଛି ।

ସେହିପରି ଅନ୍ୟ କିଛି ସ୍ଥାନରେ ଖନନ ସମୟରେ ସଙ୍ଗମ ଯୁଗର କିଛି ହାତ ତିଆରି ଟାଇଲ ଏବଂ ପଲ୍ଲାଭା ସମୟର ଶିବ ଲିଙ୍ଗ ଓ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ମିଳିଥିବାର ଦେଖାଯାଇଛି । ASI ଅଧିକାରୀଙ୍କ କହିବା ଅନୁସାରେ, ଖନନ ସମୟରେ ମାଟି ତଳୁ ପଲ୍ଲବ ଯୁଗ, ସଙ୍ଗମ ଯୁଗ, ମଧ୍ୟ ପାଷାଣ ଯୁଗ ଭଳି ୪ଟି ପ୍ରାଚୀନ ଯୁଗର ନାନା ପ୍ରକାର ସାମଗ୍ରୀ ଉଦ୍ଧାର ହୋଇଛି ।

ତେବେ ପ୍ରଥମ ପର୍ଯ୍ୟାୟରେ କାଞ୍ଚିପୁରମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦ ଫୁଟ ଲମ୍ବ ଏବଂ ୧୦୦ ଫୁଟ ଚଉଡାର ସର୍ବେକ୍ଷଣ ପାଇଁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଏହି ଅଞ୍ଚଳରେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ କରିବାକୁ ଯୋଜନା କରିଛି ।

Related Articles

Back to top button