ମୁମ୍ବାଇ ପୁଲିସ୍‌ର ପୂର୍ବତନ ମୁଖ୍ୟଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଶେଷରେ ବନ୍ଧା ହେଲେ ମୁମ୍ବାଇ ପୁଲିସ୍‌ର ପୂର୍ବତନ ମୁଖ୍ୟ ସଞ୍ଜୟ ପାଣ୍ଡେ। ଆଜି ଦିନ ତମାମର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ)ର କର୍ମଚାରୀଙ୍କ ଫୋନ ଟ୍ୟାପିଂ କରି ଆଇପିଏସ୍‌ ପାଣ୍ଡେ ବେଆଇନ ଭାବେ ଗୁଇନ୍ଦାଗିରି କରୁଥିଲେ। ଏଥିସହ ବେଆଇନ ଭାବେ ଅର୍ଥ ମଧ୍ୟ ହାସଲ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ମାମଲା ରୁଜୁ କରିବା ପରେ ଇଡି ତାଙ୍କୁ ଦିଲ୍ଲୀରେ ହାଜର ହୋଇ ପକ୍ଷ ରଖିବାକୁ କହିଥିଲା। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଇଡିର ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ଏହାପରେ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।
ଏନଏସ୍‌ଇର ସିକ୍ୟୁରିଟି ଅଡିଟ ପାଇଁ ଆଇପିଏସ୍‌ ପାଣ୍ତେ ଗୋଟିଏ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଏନଏସ୍‌ଇର ସୁରକ୍ଷା ଅଡିଟ ମଧ୍ୟ କରିଥିଲା। କମ୍ପାନୀର ବ୍ୟବସାୟ ଓ ଅପରେସନ ସମ୍ପର୍କରେ ଇଡିର ଅଧିକାରୀମାନେ ପାଣ୍ତେଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତାଙ୍କ ବୟାନକୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅନୁସାରେ ରେକର୍ଡ ମଧ୍ୟ କରାଯାଇଛି। ତେବେ ସେ ଜେରା ବେଳେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେରା ବେଳେ ପାଣ୍ଡେ ଆଦୌ ଇଡି ଅଧିକାରୀଙ୍କୁ ସହଯୋଗ କରି ନଥିଲେ। ତାଙ୍କୁ ବିଭିନ୍ନ ପ୍ରକାରର ପ୍ରମାଣ ଦେଖାଇ ଅଧିକାରୀମାନେ ପ୍ରଶ୍ନ କରିଥିଲେ। ହେଲେ ସେ ଏଥିରେ ଏକମତ ନ ହୋଇ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଇଡି ପକ୍ଷରୁ ତାଙ୍କୁ ବାଧ୍ୟ ହୋଇ ଗିରଫ କରାଯାଇଛି। ପାଣ୍ଡେ ଏନଏସ୍‌ଇର ପୂର୍ବତନ ମୁଖ୍ୟ ରବି ନାରାଇନ ଓ ଚିତ୍ରା ରାମକୃଷ୍ଣଙ୍କ ସହ ମିଶି ଏନଏସ୍‌ଇରେ କାମ କରୁଥିବା କିଛି କର୍ମଚାରୀଙ୍କ ଉପରେ ଗୁଇନ୍ଦାଗିରି କରୁଥିଲେ।

Related Articles

Back to top button