ଦାଦନ ସମସ୍ୟା ପାଇଁ ‘ମନରେଗା ରାଜ୍ୟ ସହାୟତା’ ଯୋଜନାକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ଦାଦନ ପ୍ରବଣ ବ୍ଲକଗୁଡ଼ିକରେ ଦାଦନ ସମସ୍ୟା ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ‘ମନରେଗା ରାଜ୍ୟ ସହାୟତା’ କାର୍ଯ୍ୟକାରୀ କରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୨୦ଟି ଦାଦନପ୍ରବଣ ବ୍ଲକରେ ମନରେଗା ଅଧୀନରେ ଥିବା କାର୍ଯ୍ୟ ଆଶୟୀଙ୍କୁ ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ହାର ସହିତ ସମାନ କରି ମନରେଗା ଅଧୀନରେ ପ୍ରଦାନ କରାଯାଉଥିବା ବିଜ୍ଞାପିତ ମଜୁରୀ ହାର ଉପରେ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ୪ଟି ଜିଲ୍ଲାର ୨୦ଟି ଦାଦନପ୍ରବଣ ବ୍ଲଗୁଡ଼ିକରେ ମନରେଗାରେ ସୁନିଶ୍ଚିତ କରାଯାଇଥିବା ସର୍ବନିମ୍ନ ୧୦୦ଦିନର କାର୍ଯ୍ୟ ବାଦ୍ ଆଉ ୨୦୦ଦିନ କାର୍ଯ୍ୟ ଯୋଗାଇ ଦିଆଯିବ । ଏହି ଅତିରିକ୍ତ ୨୦୦ଦିନର ମଜୁରୀ ବାବଦରେ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେଉଥିବା ମଜୁରୀ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଣକୁଶଳୀ ମଜୁରୀ ହାରରେ ନୂତନ ରାଜ୍ୟ କ୍ଷେତ୍ର ଯୋଜନାରେ ଅଧୀନରେ ବହନ କରାଯିବ ।

‘ଜଳ ଜୀବନ ମିଶନ ଯୋଜନା’ରେ ରାଜ୍ୟର ୪ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଅନୁଗୁଳ ଓ ଜଗତସିଂହପୁରରେ ୧୧୬୩.୪୩ କୋଟି ଟଙ୍କାର ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି । କୋରାପୁଟ ଜିଲ୍ଲାରେ ଏଥିପାଇଁ ୨୬୧.୯୭ କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡରକୁ ହାଇଦ୍ରାବାଦର ଏନସିସି ଲିମିଟେଡ୍ ସଂସ୍ଥାକୁ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଜୟପୁର ଓ କୁନ୍ଦ୍ରା ବ୍ଲକର ୩୧ଟି ପଂଚାୟତର ୧୬୭ଟି ଗାଁର ୧ଲକ୍ଷ ୬୧ହଜାର ୯୦୬ଜଣ ଲୋକ ଉପକୃତ ହେବେ ।

ରାୟଗଡ଼ା ଜିଲ୍ଲାର ରମନାଗୁଡ଼ା ଓ କୋଲନରା ବ୍ଲକର ୧୫ଟି ପଂଚାୟତର ୧୨୯ଟି ଗାଁର ୩୫୪୦୪ଜଣ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୧୧୪.୬୮କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡରକୁ ହାଇଦ୍ରାବାଦର ଷ୍ଟାଣ୍ଡାର୍ଡ ଇନଫ୍ରାଟେକ୍ ଲିଃକୁ ପ୍ରଦାନ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Related Articles

Back to top button