ଆମ୍ନେଷ୍ଟି ଇଣ୍ଡିଆକୁ ୫୧.୭୨ କୋଟି ଟଙ୍କାର ଫାଇନ୍ କଲା ଇଡି

ପୂର୍ବତନ ସିଇଓ ଆକାର ପଟେଲଙ୍କୁ ଦେବାକୁ ହେବ ୧୦ କୋଟି

ନୂଆଦିଲ୍ଲୀ: ବିଦେଶୀ ପୁଞ୍ଜି ପରିଚାଳନା ଆକ୍ଟ(FEMA)ର ଉଲ୍ଲଂଘନ ଅଭିଯୋଗରେ ଅମ୍ନେଷ୍ଟି ଇଣ୍ଡିଆକୁ ଅର୍ଥଦଣ୍ଡ। ୫୧.୭୨ କୋଟି ଟଙ୍କା ଫାଇନ୍ ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତା ସହ ଏହାର ପୂର୍ବତନ ସିଇଓ ଆକାର ପଟେଲ୍‌ଙ୍କୁ ୧୦ କୋଟି ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏନେଇ ସଂସ୍ଥା ଓ ପୂର୍ବତନ ସିଇଓଙ୍କୁ ଇଡି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି।

ଲୋକଙ୍କୁ ସହଯୋଗ ଆଳରେ ବ୍ରିଟେନ୍‌ରେ ଥିବା ମୂଳକ ଆମ୍ନେଷ୍ଟି ଇଣ୍ଟରନ୍ୟାସ୍‌ନାଲ ଠାରୁ ୫୧.୭୨ କୋଟି ଉଧାର ନେଣଦେଣ ସମ୍ପର୍କିତ ଏହି ମାମଲା ରହିଛି। ଇଡିର ସମନ ଅନୁସାରେ ଆମ୍ନେଷ୍ଟି ଇଣ୍ଡିଆ ୨୦୧୩ରୁ ୨୦୧୮ ମଧ୍ୟରେ ଅମ୍ନେଷ୍ଟି ୟୁକେ ଠାରୁ ୫୨ କୋଟି ଟଙ୍କା ଆଣିଥିଲା। ସେତେବେଳେ ଆକାର ପଟେଲ ସିଇଓ ଥିଲେ। ଏହି ସମୟରେ ହେର୍‌ଫେର ହୋଇଛି ବୋଲି ଇଡି କହିଛି। ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ରୀୟ ସଂସ୍ଥା।

ଏହା ପୂର୍ବରୁ ଇଡି ଓ ଆକାର ପଟେଲଙ୍କ ମଧ୍ୟରେ ହାଇକୋର୍ଟରେ ଆଇନଗତ ଲଢେଇ ହୋଇଥିଲା। ଆକାରଙ୍କ ବିଦେଶ ଗସ୍ତକୁ ବିରୋଧ କରି ଇଡି ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା। ହେଲେ ଆକାର ଏଥିପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଲୁକ୍‌ଆଉଟ୍ ନୋଟିସ ଉଠାଇ ନେବା ସହିତ ସିବିଆଇ ମୁଖ୍ୟ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦିଲ୍ଲୀର ରାଉଜ ଏଭିନିଉ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରେ କୋର୍ଟ ତାଙ୍କ ରାୟକୁ ପରିବର୍ତ୍ତନ କରିବା ସହ ତାଙ୍କ ରାୟ ଉପରେ ସ୍ଥଗିତା ଦେଶ ଜାରି କରିଥିଲେ।

Related Articles

Back to top button